Unknown

 

 

 

 

 

 

 

 

 

ବୃକ୍ଷଲତା

ଶ୍ରୀ ନିମାଇଚରଣ ଦାସ

 

 

 

 

 

 

 

ଉତ୍ସର୍ଗ

 

ମିଷ୍ଟଭାଷୀ, ପରୋପକାରୀ, ଅନାଥ-ବତ୍ସଳ, ପରଦୁଃଖ-କାତର, ଦରିଦ୍ରସଖା, ଉତ୍କଳମାତାଙ୍କର ଯୋଗ୍ୟସନ୍ତାନ ସ୍ୱାମୀ ଶ୍ରୀ ବିଚିତ୍ରାନନ୍ଦ ଦାସଙ୍କ କରକମଳରେ ଦୀନଜନ ସାଧାରଣଙ୍କର ଉପକାରାର୍ଥେ ରଚିତ ଏହି କ୍ଷୁଦ୍ର ପୁସ୍ତକଟି ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଉତ୍ସର୍ଗ କଲି ।

 

ଗୁଣମୁଗ୍ଧ ପ୍ରଣେତା

Image

 

ବକ୍ତବ୍ୟ

 

ପ୍ରକୃତି ଜୀବ ସୃଷ୍ଟିର ନାନାବିଧ ରୋଗ ଓ ବ୍ୟାଧିର ଆରୋଗ୍ୟ ପାଇଁ ନାନାପ୍ରକାର ଲତା, ପତ୍ର, ଫଳ, ପୁଷ୍ପ ସୃଷ୍ଟି କରିଅଛି । ଖାଲି ନିଜର ଜ୍ଞାନବଳରେ ସେଗୁଡ଼ିକର ମୂଳଗୁଣ ଆବିଷ୍କାର କରି ନିଜର ମଙ୍ଗଳପାଇଁ ତହିଁର ସଦ୍‌ବ୍ୟବହାର କରିବା ମନୁଷ୍ୟର ଏକାନ୍ତ କର୍ତ୍ତବ୍ୟ । ପଲ୍ଲୀ ଗାଆଁରେ ବଣ, ଲଟା, ତୋଟା, ବାଡ଼ିରେ ପ୍ରକୃତି ମଣିଷ ଜାତିର ମଙ୍ଗଳ ପାଇଁ ନାନା ‘ବନୌଷଧି’ ଭରି ରଖିଅଛି । ଏପରିକି ଯେଉଁ ଫଳମୂଳ ମଣିଷ ନିତି ଆହାର କରେ, ସେହି ପଦାର୍ଥର ଦ୍ରବ୍ୟଗୁଣ, ଅନୁପାନ ବଦଳାଇ ଦେଲେ, ତାହା ଭିତରେ ମଧ୍ୟ ମଣିଷ ଦେହର ଜଟିଳତମ ବ୍ୟାଧି ଆରୋଗ୍ୟ କରିବାର ଶକ୍ତି ରହିଛି । ମଣିଷ କେବଳ ସେଗୁଡ଼ିକୁ ଚିହ୍ନିପାରିଲେ ହେଲା- ପ୍ରକୃତିର ନୀରବ ଇଙ୍ଗିତର ରହସ୍ୟ ବୁଝିପାରିଲେ ହେଲା ।

 

ଯେଉଁଠି ପ୍ରକୃତିର ସାହାଯ୍ୟ ସୁଲଭ, ସେଠି ଦୁର୍ଲ୍ଲଭ ଔଷଧିର ଆଶ୍ରୟ ଗ୍ରହଣ କରିବା ଦରିଦ୍ର ଗୃହସ୍ଥ ପକ୍ଷରେ ଲାଭଜନକ କିମ୍ବା ଯୁକ୍ତିଯୁକ୍ତ ନୁହେଁ । ବୃକ୍ଷଲତାଙ୍କର ସୁଲଭ ସାହାଯ୍ୟ ଫଳରେ ମଣିଷ କିପରି ରୋଗମୁକ୍ତ ହୋଇପାରେ ତାହାହିଁ ଏ ଛୋଟ ବହିଟିର ବର୍ଣ୍ଣିତବ୍ୟ ବିଷୟ ।

 

ଆଗେ ମଣିଷର ଜୀବନ-ଯାପନ-ନୀତି ଯେପରି ସରଳଥିଲା, ତାର ଚିକିତ୍ସା ପ୍ରଣାଳୀ ମଧ୍ୟ ସେହିପରି ଅକୃତ୍ରିମ ଥିଲା । ତାର ଚାରିଆଡ଼େ ଶୋଭାପାଉଥିବା ତରୁତୃଣହିଁ ଥିଲେ ତାର ରୋଗ ଉପଶମର ଧାତ୍ରୀ ପରି । ବନୌଷଧି ଥିଲେ ଅମୃତସମ । ସେ ସମୟରେ ଭାରତବର୍ଷରେ ଧନ୍ୱନ୍ତରୀଙ୍କ ପରି ଅନେକ ଭିଷକ୍‌ରତ୍ନ ଥିଲେ । ସେଇମାନଙ୍କ ଅମୃତ ପ୍ରୟୋଗରେ ଅବହେଳିତ ଗଛପତ୍ର ମଧ୍ୟ ମନୁଷ୍ୟର ମୃତପିଣ୍ଡରେ ଜୀବନ ସଞ୍ଚାର କରି ପାରୁଥିଲେ । ଲକ୍ଷ୍ମଣଙ୍କ ଶକ୍ତିଶେଳ ତ ପୁଣି ଗନ୍ଧମାଦନର ବନୌଷଧିରେ ଆରୋଗ୍ୟ ଲାଭ କରିଥିଲା ?

 

ଅଦ୍ୟାପି ଯେଉଁ ସ୍ଥାନରେ ଆଦିମ ମନୁଷ୍ୟ ବୃକ୍ଷଲତା ମଧ୍ୟରେ ତାହାର ସ୍ୱାଧୀନ ସରଳ ଜୀବନ ଯାପନ କରୁଛି, ସେଠାରେ ରୋଗରୁ ମୁକ୍ତି ଲାଭ କରିବା ନିମନ୍ତେ ତାହାର ଉପାୟ ହେଉଛି ବୃକ୍ଷଲତା ।

 

ଏ ଦେଶ ଅତି ଦରିଦ୍ର । ତେଣୁ ଏ ଦେଶର ପ୍ରକୃତ ଔଷଧ ହେବ ତାହା, ଯାହା ସୁଲଭ ଏବଂ ଆଶୁଫଳପ୍ରଦ ।

 

ଏ ଦେଶର ଅବସ୍ଥା ଏପରି ଯେ, ଏଠାରେ ପ୍ରତି ଦଶସହସ୍ର ବ୍ୟକ୍ତିଙ୍କ ପାଇଁ କେବଳ ଜଣେ ଚିକିତ୍ସକ ମିଳିପାରୁଛନ୍ତି ଏବଂ ପ୍ରତି ୩୨୩୫୫ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଚିକିତ୍ସାଳୟର ବ୍ୟବସ୍ଥା ହୋଇପାରୁଚି । ଦେଶର ଏ ଭୟାବହ ଅବସ୍ଥା ଦୃଷ୍ଟିରେ ସୁପରୀକ୍ଷିତ ସାଧାରଣ ବୃକ୍ଷ, ଲତା, ପୁଷ୍ପ ଓ ଫଳ ସାହାଯ୍ୟରେ ରୋଗ ଆରୋଗ୍ୟ ବ୍ୟତିରେକେ ଆଉ ଉପାୟ କ’ଣ ?

 

ସହଜ ଉପାୟରେ, ଅନାୟାସରେ ମିଳିପାରିବା ଭଳି ଉପାଦାନରେ କିପରି ରୋଗରୁ ଆରୋଗ୍ୟ ଲାଭ କରିହେବ ତାହାହିଁ ଏ ପୁସ୍ତକର ବିଷୟବସ୍ତୁ । ଏ ପୁସ୍ତକରେ ବର୍ଣ୍ଣିତ ବିଷୟ ଯୁଗ ଯୁଗର ଅଭିଜ୍ଞତା ଉପରେ ନ୍ୟସ୍ତ ଏବଂ ପ୍ରୟୋଗ ସିଦ୍ଧ । ଏହାର ପ୍ରଣାଳୀ ଏତେ ସରଳ ଯେ ସାଧାରଣ ବ୍ୟକ୍ତି ମଧ୍ୟ ଏହା ନିଜେ ପରୀକ୍ଷା କରି ଉପକାର ଲାଭ କରି ପାରିବ । ଏହାର ପ୍ରଧାନ ବିଶେଷତ୍ୱ, ଏଥିରେ ଦୁଷ୍ପ୍ରାପ୍ୟ ବନୌଷଧିକୁ ଉପକରଣ କରାଯାଇ ନାହିଁ କିମ୍ବା କୌଣସି ରୋଗ ପାଇଁ ଏକାଧିକ ବୃକ୍ଷଲତା ପୁଷ୍ପଫଳର ସମଷ୍ଟି ଆବଶ୍ୟକ ହୋଇ ନାହିଁ । ହଠାତ୍‌ ଯାହା ପ୍ରାପ୍ତ ହେଲା, ଦୁର୍ବା ହେଉ କି ରମ୍ଭା ହେଉ, ତାହାକୁ କେଉଁ ବ୍ୟାଧି ପାଇଁ କିପରି ଭାବରେ ସେବନ କରାଯିବ ତାହାହିଁ ପ୍ରଦତ୍ତ ହୋଇଛି ।

 

୨୫ । ୪ । ୩୯

ଶ୍ରୀ ନିମାଇଚରଣ ଦାସ

କଟକ

 

Image

 

ଅଭିମତ

 

ଶ୍ରୀଯୁକ୍ତ ନିମାଇଚରଣ ଦାସଙ୍କ ‘‘ବୃକ୍ଷଲତା ନାମକ ପାଣ୍ଡୁଲିପି ପାଠ କରି ମୁଗ୍ଧ ହେଲି । ଅଜା ଆଈମାନଙ୍କର ତୁଟୁକା ତୁଟୁକୀ ଜ୍ଞାନ ଆଜି କ୍ରମେ କ୍ରମେ ଆମମାନଙ୍କର ଆଳସ୍ୟ, ଅବହେଳା, ଅଶ୍ରଦ୍ଧାରେ ଲୋପ ପାଇବାକୁ ବସିଛି । ଏହାଦ୍ୱାରା ଆମ୍ଭେମାନେ ଏକପ୍ରକାର ମୂର୍ଖ ହୋଇ ଯାଇଛୁଁ ଏବଂ ସାମାନ୍ୟ କଥାରେ ମଧ୍ୟ ଡାକ୍ତର କବିରାଜଙ୍କୁ ଏବଂ ସେମାନଙ୍କ ବୋତଲଭରା ଔଷଧକୁ ଚାହିଁ ବସିଛୁଁ । ଏହିପରି ଔଦାସୀନ୍ୟ ଓ ଜଡ଼ତା ଅତି ମାରାତ୍ମକ । ମୁଁ ସବୁବେଳେ ଏହି ତୁଟୁକା ତୁଟୁକିର ପକ୍ଷପାତୀ । ଏହାଦ୍ୱାରା ଡାକ୍ତର କବିରାଜମାନଙ୍କର ଶତ୍ରୁତା କରାଯାଏ ନାହିଁ ବରଂ ଏହାଦ୍ୱାରା ପ୍ରତି ଗୃହସ୍ଥ ସ୍ୱାବଲମ୍ବନଶୀଳ ହେବାକୁ ଚେଷ୍ଟା କରେ ଏବଂ ଯାହାକୁ ‘‘ଫାର୍ଷ୍ଟ ଏଡ଼୍‌’’ (First aid) ବୋଲି ଆଜିକାଲି ଏତେ ଆଦର କରାଯାଉଛି ତାହାହିଁ ଗୃହସ୍ଥ ଶିକ୍ଷା କରେ । ମୁଁ ନିମାଇବାବୁଙ୍କର ଅଧ୍ୟବସାୟ ଏବଂ ଏକାଗ୍ରତାକୁ ଧନ୍ୟବାଦ ନ ଦେଇ ରହିପାରୁ ନାହିଁ । ଦେଶରେ ଏହିପରି କର୍ମୀ ଅଧିକରୁ ଅଧିକତର ଲୋଡ଼ା । ଆଉ ଯେଉଁ ଯୁବକମାନେ ‘‘ହା ଅନ୍ନ ହା ଅନ୍ନ’’ କରି ହତାଶ ହୋଇ ପଡ଼ୁଛନ୍ତି, ସେମାନେ ଇଚ୍ଛା କଲେ ଏହିପରି ଖଣ୍ଡିଏ ପୁସ୍ତକ ଧରି ଗୋଟିଏ ଗୋଟିଏ ଗ୍ରାମର ସେବାରେ ପ୍ରାଣପଣ ଚେଷ୍ଟା କଲେ, ଅନ୍ନଚିନ୍ତା ସେମାନଙ୍କୁ ଏପରି ଆଉ ଘାରିବ ନାହିଁ । ଏହି ପୁସ୍ତକର ପ୍ରକାଶ ଶୀଘ୍ର ବାଞ୍ଚନୀୟ ।

 

ଇବିଗାପଡ଼ିଆ

ଲକ୍ଷ୍ମୀନାରାୟଣ ସାହୁ ଏମ, ଏ

କଟକ

ଭାରତ ସେବକ ସମିତିର ସଦସ୍ୟ

ତା ୨୧-୧-୩୯

 

Image

 

(୨) କୃଷକ

 

‘କୃଷକ’ ପତ୍ରିକା କହନ୍ତି :–

 

ଶ୍ରୀଯୁକ୍ତ ନିମାଇଚରଣ ଦାସ ‘‘ବୃକ୍ଷଲତା’’ ନାମରେ ଗୋଟିଏ ବହିର ପାଣ୍ଡୁ ଲିପି ପ୍ରସ୍ତୁତ କରିଛନ୍ତି । ପୁସ୍ତକଟିରେ ଗଛ, ଲତା, ଯାବତୀୟ ଫଳ, ଶାଗ, ଚେର, ମୂଳ ଆଦିରେ ସାମାନ୍ୟ ଅନୁପାନ ଦେଇ ଖାଇଲେ କିପରି ନାନା ଅସାଧ୍ୟ ରୋଗ ଭଲ ହୋଇଯିବ, ତାହା ଦର୍ଶାଇଛନ୍ତି । ଆଜିକାଲି ଆମ୍ଭମାନଙ୍କର ଅବସ୍ଥା ଏପରି ହୋଇଅଛି ଯେ ଆମେ ଦ୍ରବ୍ୟଗୁଣ ଭୁଲିଯାଇଛୁ; ଅଥଚ ରୋଗ ଆରୋଗ୍ୟ ବ୍ୟୟସାଧ୍ୟ ଡାକ୍ତରୀ ବା କବିରାଜୀ ଚିକିତ୍ସା କରି ପାରୁନାହୁଁ । ଗାଁ ଗହଳରେ ମଧ୍ୟ ଚିକିତ୍ସା ଅନେକ ସ୍ଥଳରେ ଦୁଷ୍ପ୍ରାପ୍ୟ । ଏପରି ଅବସ୍ଥାରେ ପୁସ୍ତକଟି ପ୍ରକାଶିତ ହେଲେ ପ୍ରତ୍ୟେକ ଗୃହସ୍ଥର ଯେ ଦରକାରରେ ଆସିବ ଏଥିରେ ସନ୍ଦେହ ନାହିଁ ।

 

(୩)

 

ଶ୍ରୀଯୁକ୍ତ ନିମେଇଚରଣ ଦାସଙ୍କର ‘‘ବୃକ୍ଷଲତା’’ ନାମକ ପୁସ୍ତକଟି ଆୟୁର୍ବେଦୀୟ ବହି ମଧ୍ୟରୁ ଅନ୍ୟତମ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବିଶେଷତଃ ପ୍ରତ୍ୟେକ ଗୃହସ୍ଥର ଏହା ବାଞ୍ଛିତ ବସ୍ତୁ । ଇତି ।

 

ଶ୍ରୀ ଜଗନ୍ନାଥ ମିଶ୍ର

ବୈଦ୍ୟଶିରୋମଣି କବିରାଜ, ବି, ଏ, ଏମ୍‌ଏସ୍‌,

ସାରଦା ଔଷଧାଳୟ,

ଚଉଧୁରୀ ବଜାର, କଟକ

 

(୪)

 

ନିମାଇବାବୁଙ୍କ ‘‘ବୃକ୍ଷଲତା’’ ନାମକ ପୁସ୍ତକ ଦ୍ୱାରା ଦେଶର ପ୍ରଭୂତ ମଙ୍ଗଳ ସାଧିତ ହେବ-

 

କଟକ

ଶ୍ରୀ ଗୋକୁଳାନନ୍ଦ ପଟ୍ଟନାୟକ

ତା ୧୭।୧।୩୯

କବିରାଜ

Image

 

ତୁଳସୀ

 

ମିଳିମିଳା ଓ ବସନ୍ତ–

ତୁଳସୀପତ୍ର ରସରେ ଯୁଆଣି ବାଟି ଦେହରେ ବୋଳିଲେ ମିଳିମିଳା ଓ ବସନ୍ତ ସମ୍ପୂର୍ଣ୍ଣରୂପେ ବାହାରି ପଡ଼େ ।

 

 

 

ବ୍ରଣ–

(କ)

ତୁଳସୀପତ୍ରରେ ଟିକଏ ସୈନ୍ଧବ ଲବଣ ମିଶାଇ ବାଟି, ବ୍ରଣର ଚାରିଆଡ଼େ ଲେପ ଦେଲେ, ବ୍ରଣ ଫାଟି ପୂଯ ଓ ରକ୍ତ ବାହାରିଯାଏ-

 

 

 

 

(ଖ)

ତୁଳସୀ ପତ୍ରକୁ ଶୁଖାଇ ଭଲରୂପେ ଚୂର୍ଣ୍ଣ କରି ମୁହଁରେ ମାଲସ କଲେ ମୁଖର ବ୍ରଣ ଚାଲିଯାଏ ଓ ମୁଖ ସୁନ୍ଦର ଦେଖାଯାଏ ।

 

 

 

କୁଷ୍ଠ–

ଯାହାର କୁଷ୍ଠରୋଗ ପ୍ରଥମରେ ହେଉଥିବ ତାକୁ ତୁଳସୀ ବଣରେ ଶୁଆଇବ ଓ ତୁଳସୀପତ୍ର ରସକୁ ଉକ୍ତ (ଛଉ) ଯାଗାରେ ମାଲସ କରିବ

 

 

 

ନାକରୋଗ–

(କ)

ଧଳା ତୁଳସୀ ଓ ବାସଙ୍ଗପତ୍ର ସମାନ ଭାଗରେ ନେଇ ଛେଚି କନାରେ ପୋଟଳି ବାନ୍ଧି ବାରମ୍ବାର ନାଶ ନେଲେ ନାକର ଯାବତୀୟ ରୋଗ ଆରୋଗ୍ୟ ହୁଏ ।

 

 

 

 

(ଖ)

କଳାତୁଳସୀର ରସ ନାକରେ ପକାଇଲେ ନାକର ଅର୍ଶ (ନାସାର୍ଶ) ଚାଲିଯାଏ ।

 

 

 

 

(ଗ)

ତୁଳସୀପତ୍ର ଶୁଖାଇ ଚୂର୍ଣ୍ଣ କରି ନାଶ ନେଲେ ନାକର ଦୁର୍ଗନ୍ଧ ଓ ଅନ୍ୟାନ୍ୟ ରୋଗ ଚାଲିଯାଏ ।

 

 

 

କର୍ଣ୍ଣରୋଗ–

ତୁଳସୀପତ୍ର ରସ କାନରେ ପକାଇଲେ କାନଟଣା ଭଲହୁଏ ।

 

 

 

ଦନ୍ତରୋଗ–

ତୁଳସୀପତ୍ର ଓ ମରିଚ ସମାନ ଭାଗରେ ମିଶାଇ, ଦାନ୍ତରେ ଯାକି ରଖିଲେ ଦାନ୍ତର ପ୍ରାସ (ଦରଜ) ଚାଲିଯାଏ ।

 

 

 

ମେଲେରିଆ ଜ୍ୱର–

ତୁଳସୀପତ୍ର ରସ ଏକ ତୋଳା ପ୍ରତିଦିନ ସକାଳେ ନିୟମିତ ଭାବରେ ଦୁଇ ସପ୍ତାହ ସେବନ କଲେ ମେଲେରିଆଜ୍ୱର ଉପଶମ ହୁଏ ।

 

 

 

ଶର୍ଦ୍ଦି–

ତୁଳସୀପତ୍ର ରସ ପିଇଲେ ଶର୍ଦ୍ଦି (ସରଦ) ଛାଡ଼ିଯାଏ ।

 

 

 

କାଶ–

ତୁଳସୀପତ୍ର ଛିଣ୍ଡାଇ ଛାଇରେ ଶୁଖାଇ ‘‘ଚା’’ କରି ପିଇଲେ କାଶ ଆରୋଗ୍ୟ ହୁଏ ।

କାଶ ଓ ଶ୍ୱାସ–

ତୁଳସୀପତ୍ର ରସ ଏକତୋଳା ଓ ବାସଙ୍ଗ ରସ ଏକତୋଳା, ଏହିପରି ମୋଟ ଦୁଇତୋଳାରେ ମହୁ ମିଶାଇ ସେବନ କଲେ କାଶ ଓ ଶ୍ୱାସ ଆରୋଗ୍ୟ ହୁଏ ।

 

 

 

ସନ୍ନିପାତ–

ତ୍ରିଦୋଷଜ ସନ୍ନିପାତରେ ଯେତେବେଳେ ନାଡ଼ୀ ନ ମିଳୁଥାଏ, ସେତେବେଳେ ତୁଳସୀପତ୍ର ରସ ଅଧତୋଳା; ପାନରସ ଓ ବେଲପତ୍ରରସ-ଉଭୟ ମିଳିତ ଅଧତୋଳା, କର୍ପୂର ଏକରତି ଓ ମହୁ ଦଶଟୋପା ମିଶାଇ ସେବନ କଲେ ନାଡ଼ୀ ଫେରିଆସେ ।

 

 

 

ବାତ ରୋଗ–

ତୁଳସୀପତ୍ର ରସ ଚାରିତୋଳା ଓ ବିଶୁଦ୍ଧ ଗୁଆଘିଅ ଚାରିତୋଳା ମିଶାଇ ଏକତ୍ର ପାକକରି-ଘିଅ ଅବଶିଷ୍ଟ ରଖି ଗୋଲମରିଚ ଅଧତୋଳାର ଗୁଣ୍ଡ ମିଶାଇ ସେବନ କଲେ ବାହୁଗତ ରୋଗ (Citika pain) ଆରୋଗ୍ୟ ହୁଏ ।

 

 

 

ବିଛା କାମୁଡ଼ା–

ତୁଳସୀପତ୍ର ରସକୁ ବିଛା କାମୁଡ଼ିଥିବା ଯାଗାରେ ଭଲକରି ଘସିଲେ ବିଷ ନଷ୍ଟହୁଏ ଓ ଯନ୍ତ୍ରଣା ଉପଶମ ହୁଏ ।

 

 

 

ସର୍ପଦଂଶନ–

କଳାତୁଳସୀ ଗଛର ଚେରକୁ ବାଟି ପିଆଇଲେ ଓ କାମୁଡ଼ିଥିବା ଯାଗାରେ ଲେପ ଦେଲେ ସର୍ପବିଷ ନଷ୍ଟ ହୁଏ ।

Image

 

ଅଁଳା

 

ପରିସ୍ରାପୋଡ଼ା–

ଅଁଳାରସ ଏକତୋଳା ଗିଲାସେ ମିଶ୍ର ସରବତରେ ମିଶାଇ ସେବନ କଲେ ପରିସ୍ରା ଜ୍ୱାଳା ପୋଡ଼ା ହଠାତ ବନ୍ଦ ହୁଏ ।

 

 

 

ମୂତ୍ରରୋଧ–

(କ)

ଅଁଳାରସ ଦୁଇତୋଳା ମହୁରେ ମିଶାଇ ଦିନରେ ଦୁଇପାନ କରି ସେବନ କଲେ, ମୂତ୍ରରୋଧ ଆରୋଗ୍ୟ ହୁଏ ।

 

 

 

 

(ଖ)

ଏକ ଛଟାଙ୍କି ଅଁଳା ସଙ୍ଗେ ଏକତୋଳା ଯବଖାର ମିଳାଇ କାଞ୍ଜିପାଣିରେ ବା ଶୀତଳ ଜଳରେ ବାଟି ତଳି ପେଟରେ ବହୁଳ ଲେପ ଦେଲେ, ମୂତ୍ରରୋଧ ଆରୋଗ୍ୟ ହୁଏ ।

 

 

 

ବହୁମୂତ୍ର–

(କ)

କଞ୍ଚା ଅଁଳାରସ ଦୁଇତୋଳା ମହୁସହିତ କିଛିଦିନ ସେବନ କଲେ ବହୁମୂତ୍ର ଉପଶମ ହୁଏ ।

 

 

 

 

(ଖ)

ଏକତୋଳା ଅଁଳା ରସରେ ଏକତୋଳା ଚିନି ଓ ଅଧପାଏ ସଦ୍ୟ ଦୁହାଁ ଗାଈଦୁଧ (ଗଜରାଦୁଧ) ଗୋଟିଏ ପାଚିଲା କାଠିଆ କଦଳୀ ଏକତ୍ର ମିଶାଇ ଦିନରେ ଦୁଇପାନ କରି ସେବନ କଲେ ବହୁମୂତ୍ର ଆରୋଗ୍ୟ ହୁଏ ।

 

 

 

ସ୍ତ୍ରୀ ରୋଗ–

ସୁକିଏ ଓଜନ ଅଁଳାଚୂର୍ଣ୍ଣ ଚାଉଳଧୂଆ ପାଣିରେ ସେବନ କଲେ ସ୍ତ୍ରୀ ରୋଗରେ ବିଶେଷ ଉପକାର ହୁଏ ।

 

 

 

 

(କ)

ଅଁଳାରସ ଦୁଇତୋଳାରେ ସୁକିଏ ଓଜନ ଚିନି ମିଶାଇ ସେବନ କଲେ, ସ୍ତ୍ରୀ-ରୋଗରେ ବିଶେଷ ଉପକାର ଦେଖାଯାଏ ।

 

 

 

ରକ୍ତାତିସାର–

ବାଡ଼ିଅଁଳା ଗଛକୁ ଶୀତଳ ଜଳରେ ବାଟି ସେବନ କଲେ ରକ୍ତାତିସାର ଆରୋଗ୍ୟ ହୁଏ ।

 

 

 

ରକ୍ତପିତ୍ତ–

(କ)

ଅଁଳାର କ୍ୱାଥରେ ଅଧତୋଳା ଗୁଡ଼ ମିଶାଇ ସେବନ କଲେ ରକ୍ତପିତ୍ତ, ଦାହ ଓ ବାନ୍ତି ଉପଶମ ହୁଏ ।

 

 

 

 

(ଖ)

ଅଁଳାକୁ ଘିଅରେ ଭାଜି କାଞ୍ଜିରେ ବାଟି ମୁଣ୍ଡରେ ବୋଳି ରଖିଲେ ନାକରୁ ରକ୍ତପଡ଼ିବା ଶୀଘ୍ର ଆରୋଗ୍ୟ ହୁଏ ।

 

 

 

ଅମ୍ଳପିତ୍ତ–

ଅଁଳାରସ ଦୁଇ ତୋଳାରେ ସୁକିଏ ଓଜନ ଅଁଳାଚୂର୍ଣ୍ଣ ମିଶାଇ ବଡ଼ି ସକାଳେ ପାନ କଲେ, ଅମ୍ଳପିତ୍ତ ଆରୋଗ୍ୟ ହୁଏ ।

 

 

 

ପିତ୍ତଶୂଳ–

ଅଁଳା-ଚୂର୍ଣ୍ଣରେ ମହୁ ମିଶାଇ ସେବନ କଲେ ପିତ୍ତଶୂଳ ଆରୋଗ୍ୟ ହୁଏ ।

 

 

 

ଗର୍ଭଶୂଳ–

ବାଡ଼ିଅଁଳା ଦୁଇ ତୋଳାକୁ ଏକପାଆ ଗାଈଦୁଧରେ ସିଝାଇ ଅଧପାଏ ଥାଉଁ ଥାଉଁ ଓହ୍ଲାଇ ସେଥିରେ ଗୁଆଘିଅ ପରଖ ଦେଇ ସେବନ କଲେ ଗର୍ଭଶୂଳ ଆରୋଗ୍ୟ ହୁଏ ।

 

 

 

ଶୀରଶୂଳ–

ସୁକିଏ ଓଜନ ଅଁଳାଚୂର୍ଣ୍ଣରେ ଘିଅ ପରଖ ଦେଇ ପାନକଲେ ଶିରଶୂଳ ଉପଶମ ହୁଏ ।

 

 

 

ଅଧାକପାଳି–

ଶୁଖିଲା ଅଁଳାକୁ ବରଫ ଜଳରେ ବାଟି ମୁଣ୍ଡରେ ଲେପଦେଲେ ଅଧାକପାଳି ଆରୋଗ୍ୟ ହୁଏ ।

 

 

 

ଚକ୍ଷୁରୋଗ–

ବାଡ଼ି ଅଁଳାକୁ ମହୁରେ ମିଶାଇ ଏକୋଇଶ ଦିନ ଚକ୍ଷୁରେ ଲଗାଇଲେ ଚକ୍ଷୁର ଫୁଲା ଓ ପରଳ ଉପଶମ ହୁଏ ।

 

 

 

ବାତରୋଗ–

ଦୁଇ ତୋଳା ବାଡ଼ିଅଁଳାକୁ ଏକପାଆ ଦୁଧରେ ସିଝାଇ, ଅଧପାଏ ରଖି ପିଇଲେ ବାତରୋଗ ଆରୋଗ୍ୟ ହୁଏ ।

 

 

 

ଶରୀର ପୁଷ୍ଟି–

ସୁକିଏ ଓଜନ ଅଁଳାଚୂର୍ଣ୍ଣ ଉଷୁମ ଦୁଧରେ କିଛିଦିନ ସେବନ କଲେ ଶରୀର ପୁଷ୍ଟି ହୁଏ ।

Image

 

ମୁଥା

 

ପେଟ ଗୋଳମାଳ–

ମୁଥାରେ ଗୋଲମରିଚ ମିଶାଇ ଜଳରେ ସିଝାଇ, ପିଇଲେ ପେଟ ‘‘ଘୁ’’ ‘‘ଘୁ’’ ବା ପେଟରେ ଗୋଳମାଳ ଉପଶମ ହୁଏ ।

 

 

 

ଅଜୀର୍ଣ୍ଣ–

ମୁଥାକୁ ଭଜା ଜିରାରେ ବାଟି ପିଇଲେ ଅଜୀର୍ଣ୍ଣ ଦୋଷ ଦୂର ହୁଏ ।

 

 

 

ଅତିସାର–

(କ)

ମୁଥାରସ ଏକତୋଳା ମହୁ ସୁକିଏ ଓଜନ ମିଶାଇ ସେବନ କଲେ, ଅତିସାର ଭଲହୁଏ ।

 

 

 

 

(ଖ)

ମୁଥାରସ ଅଧଛଟାଙ୍କିରେ କର୍ପୂର ମିଶାଇ ଏହାକୁ ତିନିପାନ କରି ସେବନ କଲେ ଅତିସାର ଉପଶମ ହୁଏ ।

 

 

 

ରକ୍ତାତିସାର–

ଏକତୋଳା ମୁଥା-ରସରେ କିଛି ମହୁ ମିଶାଇ ସେବନ କଲେ, ଆମଦୋଷ ଜନିତ ରକ୍ତାତିସାର ଆରୋଗ୍ୟ ହୁଏ ।

 

 

 

କୃମି–

ମୁଥାରସ ଏକତୋଳା, ସୁକିଏ ଓଜନ ବିଡ଼ଙ୍ଗଚୂର୍ଣ୍ଣ ମିଶାଇ ସେବନ କଲେ, କୃମି ନଷ୍ଟ ହୁଏ ।

 

 

 

ଶୋଥ–

ମୁଥା ଦୁଇତୋଳା ଏକପାଆ ଗୋରୁ-ମୂତ୍ରରେ ସିଦ୍ଧ କରି ଦେଢ଼ ଛଟାଙ୍କି ଥାଉଁ ଥାଉଁ ଛାଣି ପ୍ରତିଦିନ ସକାଳେ ସେବନ କଲେ ଶୋଥ ରୋଗ ଉପଶମ ହୁଏ ।

 

 

 

ଶିଶୁର ଦୁଧ ବାନ୍ତି–

ମୁଥାଘାସର ମଞ୍ଜି, ଅରୁଆ ଚାଉଳଧୁଆ ଜଳରେ ବାଟି ସୁକିଏ ଓଜନରେ ସ୍ତନ ଦୁଧରେ ମିଶାଇ ସେବନ କଲେ ଶିଶୁର ଦୁଧବାନ୍ତି ଆରୋଗ୍ୟ ହୁଏ ।

 

 

 

(ସ୍ତ୍ରୀ) ଦୁଧ ବଢ଼ିବାକୁ–

ତଟକା ମୁଥା ଆଣି ଜଳରେ ବାଟି ସ୍ତନରେ ଲେପ ଦେଲେ ଯେଉଁ ସ୍ତ୍ରୀର ଦୁଧ କମ ତାହାର ଦୁଧ ବଢ଼େ ।

 

 

 

ଘା–

ମୁଥାକୁ ଆଣି ଗୁଆ-ଘିଅରେ ବାଟି ଖଣ୍ଡେ ସଫା କନାରେ ବୋଳି ‘‘ଘା’’ ଉପରେ ପକାଇ ରଖିଲେ ସଦ୍ୟ ଉପକାର ହୁଏ ।

 

 

 

ବିଛା କାମୁଡ଼ା–

ବିଛାକାମୁଡ଼ିଲେ ମୁଥା ଜଳରେ ବାଟି କ୍ଷତ ସ୍ଥାନରେ ଲେପ ଦେଲେ ବିଷ-ଦୋଷ ଚାଲି ଯାଏ ।

 

 

 

ସର୍ପ ଦଂଶନ–

ଏକତୋଳା କଞ୍ଚା ମୁଥାରେ ଗୋଟିଏ କଞ୍ଚା ପିପ୍ପଳି ବାଟି ପିଆଇ ଦେଲେ ଓ କାମୁଡ଼ା ଯାଗାରେ ମାଲସ କଲେ ସର୍ପବିଷ ନଷ୍ଟ ହୁଏ ।

 

 

 

ଅଧାକପାଳି–

ଶ୍ୱେତ (ଧଳା) ଦୁବକୁ ଜଡ଼ାତେଲରେ ଭାଜି ମୁଣ୍ଡରେ ବାନ୍ଧିଲେ ଅଧାକପାଳୀ ଆରୋଗ୍ୟ ହୁଏ ।

 

 

 

ବାନ୍ତି–

କିଛି ଦୁବ ଓ ଅରୁଆ ଚାଉଳ ଜଳରେ ବାଟି, ପିଇଲେ ବାନ୍ତି ବା ବାନ୍ତିର ବେଗ ଉପଶମ ହୁଏ ।

 

 

 

ଆମାଶୟ–

(କ)

ଦୁବରସ ଦୁଇତୋଳାରେ ମହୁ ଓ ଚିନି ମିଶାଇ ଦିନରେ ଦୁଇ ତିନିଥର ସେବନ କଲେ ରକ୍ତ ଆମାଶୟ ଉପଶମ ହୁଏ ।

 

 

 

 

(ଖ)

ଦୁବରସ ଏକଛଟାଙ୍କି ଓ ମିଶ୍ରି ଅଧଛଟାଙ୍କି ମିଶାଇ ଦିନରେ ଦୁଇ ତିନିଥର ସେବନ କଲେ ରକ୍ତ ଆମାଶୟ ଆରୋଗ୍ୟ ହୁଏ ।

 

 

 

ରକ୍ତପିତ୍ତ–

(କ)

ଶ୍ୱେତ ଦୁବର ରସରେ ଟିକିଏ ଫିଟିକିରି ମିଶାଇ ନାଶ ନେଲେ ନାକରୁ ରକ୍ତ ପଡ଼ିବା ଦୂର ହୁଏ ।

 

 

 

 

(ଖ)

ଏକତୋଳା ଦୁବରସକୁ କିଞ୍ଚିତ ଚିନି ଓ ମହୁ ସହିତ ଚାରି ସପ୍ତାହ ସେବନ କଲେ ରକ୍ତପିତ୍ତ ଆରୋଗ୍ୟ ହୁଏ ।

 

 

 

ଶିତପିତ୍ତ–

ଶ୍ୱେତ ଦୂବକୁ ହଳଦୀ ସଙ୍ଗରେ ବାଟି ଦେହରେ ଲଗାଇଲେ କୁଣ୍ଡିଆ ଓ ଶିତପିତ୍ତ (ଅଗିଆବାତ) ଉପଶମ ହୁଏ ।

 

 

 

ବ୍ରଣ–

ଦୁବ ବାଟି ଲେପ ଦେଲେ ବ୍ରଣ ଶୋଥ ଉପଶମ ହୁଏ ।

Image

 

ଘିକୁଆଁରୀ

 

ପେଟ ଗୋଳମାଳ–

ଘିକୁଆଁରୀ ରସରେ ଚିନିମିଶାଇ ସରବତ କରି ଖାଇଲେ ପେଟର ଗୋଳମାଳ ଦୂର ହୁଏ ।

 

 

 

ପରିସ୍ରା ପୋଡ଼ା–

ଘିକୁଆଁରୀ ରସକୁ ଗୁଆଘିଅରେ ଫେଣ୍ଟି ତାଳୁରେ ଘସିଲେ ପରିସ୍ରା ପୋଡ଼ା ଆରୋଗ୍ୟ ହୁଏ ।

 

 

 

ଦାହ–

କୌଣସି ସ୍ଥାନରେ ହଠାତ୍‌ ପୋଡ଼ିଗଲେ କିମ୍ବା ନିଆଁରେ ତାତିଗଲେ ଘିକୁଆଁରୀ ରସ ବୋଳିଦେଲେ, ଜ୍ୱାଳା ଯନ୍ତ୍ରଣା ଆରୋଗ୍ୟ ହୁଏ ।

 

 

 

ଦରଜ ଓ ଫୁଲା–

ଗୋଟିଏ ଘି-କୁଆଁରୀକୁ ଦୁଇଫାଳ କରି ଆମ୍ବକସିଆ ହଳଦି-ଚୂର୍ଣ୍ଣ ପକାଇ, ଉଷ୍ମକରି ଦରଜ ଓ ଫୁଲା ଜାଗାରେ ବାନ୍ଧି ରଖିଲେ ତାହା ଶୀଘ୍ର ମିଳାଇ ଯାଏ-

 

 

 

କାଖଗୁଲି–

ଘିକୁଆଁରୀ ରସ କାଖଗୁଲିରେ ବାନ୍ଧିଲେ ତାହା ବସିଯାଏ ।

 

 

 

ଗୁଳ୍ମ–

ଘିକୁଆଁରୀ ରସ ପନ୍ଦର କିମ୍ବା କୋଡ଼ିଏ ବୁନ୍ଦା ଗୁଆଘିଅରେ ମିଶାଇ ସେବନ କଲେ, ଗୁଳ୍ମ ଆରୋଗ୍ୟ ହୁଏ ।

 

 

 

ପ୍ଲୀହା–

(କ)

ଘିକୁଆଁରୀ ମୂଳ ବାଟି ଖାଇଲେ ଝାଡ଼ା ହୋଇ ପ୍ଲୀହା ଆରୋଗ୍ୟ ହୁଏ-

 

 

 

 

(ଖ)

ଘିକୁଆଁରୀ-ରସ ଅଧ ତୋଳାରେ କିଛି ହରିଡ଼ା ଚୂନା ମିଶାଇ ସେବନ କଲେ ପ୍ଲୀହା ଉପଶମ ହୁଏ ।

 

 

 

 

(ଗ)

ଏକତୋଳା ଘିକୁଆଁରୀ ରସରେ ସୁଉକି ଓଜନ ହଳଦିଗୁଣ୍ଡ ମିଶାଇ ସେବନ କଲେ ପ୍ଲୀହା ଉପଶମ ହୁଏ ।

 

 

 

କାମଳ–

ଘିକୁଆଁରୀ ରସ ନାସ ନେଲେ କାମଳ ରୋଗ ଆରୋଗ୍ୟ ହୁଏ ।

 

 

 

ସ୍ତ୍ରୀରୋଗ–

ଘିକୁଆଁରୀ ରସ ଉପଯୁକ୍ତ ମାତ୍ରାରେ ବ୍ୟବହାର କଲେ ସ୍ତ୍ରୀ-ରୋଗରେ ବିଶେଷ ଉପକାର ହୁଏ ।

 

 

 

ଚକ୍ଷୁରୋଗ–

ଘିକୁଆଁରୀ-ରସ ଚକ୍ଷୁରେ ପକାଇଲେ ଚକ୍ଷୁର ଦରଜ, ପୀଡ଼ା (ପ୍ରାସ) ଯାଏ ।

 

 

 

ଶିରରୋଗ–

ଗରମ ହେତୁ କିମ୍ବା ଅତ୍ୟନ୍ତ ମାନସିକ ପରିଶ୍ରମ ଯୋଗୁଁ ମୁଣ୍ଡ ବୁଲାଉଥିଲେ, ଘି-କୁଆଁରୀ ଫାଳେ ସକାଳେ କିମ୍ବା ସନ୍ଧ୍ୟାସମୟରେ ମୁଣ୍ଡରେ ଘସିଲେ ବିଶେଷ ଉପକାର ହୁଏ ।

 

 

 

ମୂର୍ଚ୍ଛା–

ଘିକୁଆଁରୀ ରସ ଗୁଆଘିଅରେ ମିଶାଇ ତାଳୁରେ ମାଲସ କଲେ, ମୂର୍ଚ୍ଛା ଉପଶମ ହୁଏ ।

Image

 

ଛତୁଆରି

 

ପରିସ୍ରା ପୋଡ଼ା–

(କ)

ଛତୁଆରିକୁ ଜଳରେ ବାଟି ପିଇଲେ ଶୀଘ୍ର ପରିସ୍ରା ପୋଡ଼ା ଉପଶମ ହୁଏ ।

 

 

 

 

(ଖ)

ଛତୁଆରି ରସ ଅଧଛଟାଙ୍କିରେ ବଙ୍ଗ-ଭସ୍ମ ଦୋଓଣି ଓଜନ ମିଶାଇ ସେବନ କଲେ ମୂତ୍ରକୃଚ୍ଛ୍ର ଓ ପରିସ୍ରାଜ୍ୱାଳା ପୋଡ଼ା ଶୀଘ୍ର ଉପଶମ ହୁଏ ।

 

 

 

ଶରୀରପୁଷ୍ଟି–

ଛତୁଆରିମୂଳ ଚୋପା ଛଡ଼ାଇ ଦୁଇଖଣ୍ଡ ଲେଖାଏଁ ଚିନି ସଙ୍ଗେ ପ୍ରତିଦିନ ସକାଳେ ଉତ୍ତମରୂପେ ଚୋବାଇ ଖାଇଲେ ଶରୀର ପୁଷ୍ଠ ହୁଏ ।

 

 

 

ପେଟ ଗୋଳମାଳ–

ଛତୁଆରି ରସରେ ଗୁଡ଼ ମିଶାଇ ସର୍‌ବତ୍‌ କରି ଖାଇଲେ ପେଟରେ ବାତଜନିତ ଯାବତୀୟ ଉପଦ୍ରବ ଶାନ୍ତି ହୁଏ ।

 

 

 

ରକ୍ତାଶ–

ଛତୁଆରି ଦୁଇତୋଳା ଛେଳି ଦୁଧରେ ବାଟି ସେବନ କଲେ, ରକ୍ତାର୍ଶ ଆରୋଗ୍ୟ ହୁଏ ।

Image

 

ପୋକଶୁଙ୍ଘା

 

କୃମି–

ଶିଶୁମାନଙ୍କର କୃମି ହୋଇଥିଲେ ପୋକଶୁଙ୍ଘା ରସ ମଳଦ୍ୱାରରେ ଲଗାଇଲେ କୃମି ମରିଯାଆନ୍ତି ।

 

 

ଆମାଶୟ–

ପୋକଶୁଙ୍ଘାର ରସ ପାନ କଲେ ଆମାଶୟରେ ଉପକାର ହୁଏ ।

 

 

ରକ୍ତାତିସାର–

ପୋକଶୁଙ୍ଘାର ରସ ଅଧଛଟାଙ୍କିରେ ଅଧତୋଳା ଚିନି ବା ମିଶ୍ରି ଗୁଣ୍ଡ ମିଶାଇ ସେବନ କଲେ, ରକ୍ତାତିସାର ଉପଶମ ହୁଏ ।

 

 

କାସ–

ପୋକଶୁଙ୍ଘାର ମୂଳ ଓ ଶୁଣ୍ଠୀ ଏକତ୍ର ଛେଚି ଜଳରେ ସିଝାଇ ସେବନ କଲେ, କାସ ଆରୋଗ୍ୟ ହୁଏ ।

 

 

ଚକ୍ଷୁରୋଗ–

ପୋକଶୁଙ୍ଘାର ପତ୍ର ରସ ଆଖିରେ ପକାଇଲେ ଆଖିରୁ ପାଣି ଗଡ଼ିବା ବନ୍ଦ ହୁଏ ।

 

 

କର୍ଣ୍ଣରୋଗ–

ପୋକଶୁଙ୍ଘାର ରସ ଗରମ କରି କାନରେ ପକାଇଲେ କର୍ଣ୍ଣ-ବେଦନା ଆରୋଗ୍ୟ ହୁଏ ।

 

 

ଦନ୍ତରୋଗ–

ପୋକଶୁଙ୍ଘା ଗଛର ମୂଳକୁ ଦାନ୍ତ କାଠି ପରି ଘସିଲେ ଦାନ୍ତ ଦୃଢ଼ ହୁଏ ।

 

 

କଟାଘା–

ପୋକଶୁଙ୍ଘା-ପତ୍ରରେ ଛେପ ଲଗାଇ ପେଟ ବାଗରେ ପକାଇଲେ କଟା ଘା ଆରୋଗ୍ୟ ହୁଏ ।

 

 

ତୁଣ୍ଡଘା–

ପୋକଶୁଙ୍ଘା ପତ୍ରକୁ ଜଳରେ ସିଝାଇ ସେହି ଜଳ ଉଷ୍ମ ଥାଉଁ ଥାଉଁ କୁଳୁକୁଞ୍ଚା କଲେ ତୁଣ୍ଡଘା ଉପଶମ ହୁଏ ।

 

 

ମୂର୍ଚ୍ଛା–

ପୋକଶୁଙ୍ଘା ପତ୍ରରେ ସାମାନ୍ୟ ଲୁଣ ମିଶାଇ ମୂର୍ଚ୍ଛା (ମୋହ) ଯାଇଥିବା ଲୋକର ନାକରେ ଦୁଇ ଚାରି ଟୋପା ପକାଇଲେ, ହଠାତ୍‌ ଚେତନା ଆସିଯାଏ ।

 

 

ପାଣ୍ଡୁକାମଳ–

ଗୋଟିଏ ଛୋଟ ପୋକଶୁଙ୍ଘା ଗଛ ଓପାଡ଼ି ନେଇ ତାକୁ ଛେଚି ରସ ବାହାର କରି ସେହି ରସକୁ ଗୋଟିଏ ପାତ୍ରରେ ମନ୍ଦ ଅଗ୍ନିରେ ସିଝାଇ ଦୁଇତୋଳା ସେବନ କଲେ ପାଣ୍ଡୁକାମଳ ଓ ବାତରୋଗ ଆରୋଗ୍ୟ ହୁଏ ।

 

 

କୁକୁରର କାସ–

କୁକୁରର କାସ ଓ ଅନେକ ରୋଗପାଇଁ ପୋକଶୁଙ୍ଘାପତ୍ର ଅବ୍ୟର୍ଥ ଔଷଧ । ପୋକଶୁଙ୍ଘା ରସ ଅଳ୍ପ ଗରମ କରି କୁକୁରକୁ ପିଆଇଦେଲେ ତାହାର କାସ ଓ ବାନ୍ତି ଶୀଘ୍ର ଆରୋଗ୍ୟ ହୁଏ ।

Image

 

କଦଳୀ

 

ପେଟ ଗୋଳମାଳ–

ପେଟ ଗରମ ହୋଇ ‘‘ଘୁ’’ ‘‘ଘୁ’’ ହେଉଥିଲେ ପାଚିଲା କଦଳୀ ଚିନି ଏକତ୍ର ଖାଇ ଟିକିଏ ପାଣି ପିଇଲେ ତତ୍‌କ୍ଷଣାତ୍‌ ଶାନ୍ତ ହୁଏ ।

 

 

 

କୋଷ୍ଠ (ମଳ) ବଦ୍ଧ–

ଗୋଟିଏ ପାଚିଲା କଦଳୀକୁ ଖାଇ ରାତ୍ରରେ ଶୋଇଲେ ମଳ (କୋଷ୍ଠ) ବଦ୍ଧ ଦୂରହୁଏ ।

 

 

 

ଆମାଶୟ–

(କ)

ପାଚିଲା କଦଳୀରେ ଅଳ୍ପ ଚୂଡ଼ା ମିଶାଇ ଚକଟି ଖାଇଲେ ନୂତନ ଆମାଶୟ ରୋଗ ଆରୋଗ୍ୟ ହୁଏ ।

 

 

 

 

(ଖ)

କଞ୍ଚା କଦଳୀକୁ ସିଝାଇ ଖାଇଲେ ତରଳ ପୋଖରୀ (ଦସ୍ତ) ଗାଢା ହୁଏ-

 

 

 

 

(ଗ)

ଗୋଟିଏ କଞ୍ଚା କଦଳୀ ଚୋପା ସହିତ ଧନିଆଁ ଅଧତୋଳାରେ ମିଶାଇ ଦେଢ଼ପାଆ ଜଳରେ ସିଝାଇ ଦେଢ଼ଛଟାଙ୍କି ଅବଶିଷ୍ଟ ରଖି ଛାଣି ପିଇଲେ ଆମାତିସାର ଆରୋଗ୍ୟ ହୁଏ ।

 

 

 

 

(ଘ)

କସି ଥୋଡ଼ କଦଳୀ ଦୁଇଭାଗ, ପାଣିସାହାଡ଼ା ଗଛର କଅଁଳପତ୍ର ଏକଭାଗ ଓ ଅରୁଆ ଚାଉଳ ଏକଭାଗ-ଏ ସମସ୍ତଙ୍କୁ ଏକତ୍ର କରି ଅଳ୍ପ ଜଳ ଦେଇ ଶୀଳରେ ଘଷିଲେ ତହିଁରୁ ଯେଉଁ ରସ ବାହାରିବ ତାହାକୁ ଅଳ୍ପ ଅଳ୍ପ ଖାଇଲେ ଅତି ପ୍ରବଳ ଅତିସାର ମଧ୍ୟ ଆରୋଗ୍ୟ ହୁଏ ।

 

 

 

ଅର୍ଶ–

ମଞ୍ଜା-ରସରେ ଚିନି ମିଶାଇ ସେବନ କଲେ ଅର୍ଶ ଆରୋଗ୍ୟ ହୁଏ ।

 

 

 

ପ୍ଲୀହା–

ପାଚିଲା କଦଳୀରେ ହିଙ୍ଗୁ ଚାରି ରତି ପୂରାଇ କିଛିଦିନ ସେବନ କଲେ ପ୍ଲୀହା ଆରୋଗ୍ୟ ହୁଏ ।

 

 

 

ହଇଜାରେ ମୂତ୍ରରୋଧ–

ହଇଜା (କଲେରା) ରୋଗୀର ପରିସ୍ରା ହେଉ ନ ଥିଲେ, କଦଳୀ ଗଛର ପଚା ମୂଳ ଓ ହଳଦୀ ଏକତ୍ର ବାଟି ଜବକ୍ଷାର ଏକ ଭରି ମିଶାଇ ତଳିପେଟରେ ଲେପ ଦେଲେ ଶୀଘ୍ର ଖୋଲିଯାଏ ।

 

 

 

ବହୁମୂତ୍ର–

ମିଶ୍ରି-ସରବତରେ ପାଚିଲା କଦଳୀ ଗୋଟାଏ ଖାଇଲେ ବାୟୁଜନିତ ବହୁମୂତ୍ର ଭଲହୁଏ ।

 

 

 

ଛଉ–

କଦଳୀ ପତ୍ରର ଖାରରେ ସୋରିଷ ତେଲ ମିଶାଇ ମାଲସ କଲେ ଛଉ ଲିଭିଯାଏ-

 

 

 

ହଣାଘା–

କଦଳୀ-ବାହୁଙ୍ଗାର ପିଠିପାଖେ ଚୂନ ଲଗାଇ ତାହାର ପାଉଁଶିଆ ଅଂଶ ସହିତ ଛୁରିରେ ରାମ୍ପି ଆଣି ତାକୁ ‘ଘା’ରେ ଲେପ ଦେଇ, କନା ବାନ୍ଧି ରଖିଲେ ହଣାଘା ଭଲହୁଏ ।

 

 

 

ନଳୀଘା–

ଖଣ୍ଡେ କସି କଦଳୀ ପତ୍ର ଆଣି, ତାହାର ଏକପାଖରେ କେତେକ ଅଂଶ କଣ୍ଟାଦ୍ୱାରା ଘନ ଘନ ଫୋଡ଼ି ଅନେକ ଛିଦ୍ର (କଣା) କରିବ । ତାହା ଉପରେ ହିଡ଼ିମିଚା ପତ୍ର ବିଛାଇ ପତ୍ରର ଅପରପାଖ ଘୋଡ଼ାଇ ରଖିବ । ତାହାପରେ ପତ୍ରର ଛିଦ୍ର ପାଖ ‘ଘା’ ଉପରେ ରଖି, ଖଣ୍ଡେ କନା ବାନ୍ଧିଦେବ । ପରଦିନ ଏହାକୁ ବଦଳାଇବ । ଏହିପରି ସାତ ଦିନ କଲେ ନଳୀଘା ପୂରି ଉଠିବ । ଏହା ଫଳପ୍ରଦ ଅଟେ ।

 

 

 

ଥନହରା–

କଦଳୀବାସୁଙ୍ଗା ପୋଡ଼ି ସେହି ପାଉଁଶ (କ୍ଷାରକୁ) ଗୁଆ ଘିଅରେ ଖଲି, ପାଚିଥିବା ସ୍ତନହରାରେ ଗୋଟିଏ ଖଡ଼ିକା ମୁନରେ, ସେହି ଲେପରୁ ‘ଟିପାଏ’ ମାରିଦେଲେ ଥନହରା ତତ୍‌କ୍ଷଣାତ୍‌ ଫାଟିଯାଏ ।

 

 

 

ଦାହ–

ଅଫୁଟା କଦଳୀ ପତ୍ରରେ ଶୋଇଲେ ଦେହରେ ଦାହ (ଦାହରୋଗ) ଉପଶମ ହୁଏ ।

 

 

 

ବିଲୁଆ କାମୁଡ଼ା–

ଗୋଟିଏ ପାଚିଲା ଚମ୍ପା କଦଳୀ ଭିତରେ ବାୟା କୁକୁରର ଲୋମ ଆଠଗୋଟି ପୂରାଇ ପ୍ରତିଦିନ ଗୋଟିଏ ଲେଖାଏଁ ଏକମାସ ସେବନ କଲେ କୁକୁର ବା ପାଗଳା ବିଲୁଆର ବିଷ ନଷ୍ଟ ହୁଏ ।

Image

 

ନଡ଼ିଆ

 

କୋଷ୍ଠବଦ୍ଧ–

ଶୁଖିଲା ନଡ଼ିଆରୁ ଦୋରୁଆ ବାହାର କରି ତାହା ପିଇଲେ ଝାଡ଼ା ସଫା ହୁଏ । ଏହା ଜୁଲାପରି କାର୍ଯ୍ୟ କରିଥାଏ ।

 

 

 

କୃମି–

(କ)

ନଡ଼ିଆ ପାଣିରେ ମହୁ ମିଶାଇ ସେବନ କଲେ କୃମି ମରି ଯାଆନ୍ତି ।

 

 

 

 

(ଖ)

ନଡ଼ିଆ ଦୁଧ ଅଧତୋଳାରେ ଅଧତୋଳା ମହୁ ମିଶାଇ ଛୋଟ ପିଲାଙ୍କୁ ଖୁଆଇଲେ କୃମିସବୁ ବାହାରି ପଡ଼ନ୍ତି ।

 

 

 

 

ବର୍ଷିକିଆ ପିଲାଙ୍କୁ ଦିନରେ ଦୁଇଥର ଓ ତାହାର କମ୍‌ ହେଲେ ଦିନକୁ ଥରେ ଆବଶ୍ୟକ ମୁତାବକ ଏକ ସପ୍ତାହ ସେବନ କରାଇବ ।

 

 

 

ଶୂଳ–

ଜଳଥିବା ସୁପକ୍ୱ ନାରିକେଳ ମଧ୍ୟରେ କିଛି ସୈନ୍ଧବ ଲବଣ ପୂରାଇ ସେହି ନଡ଼ିଆର ଉପରିଭାଗ ମାଟିରେ ଉତ୍ତମରୂପେ ଲେପି ଦେବ, ଏବଂ ତାହା ଶୁଖିଗଲେ ଘସି ନିଆଁରେ ପୋଡ଼ିବ । ଯେତେବେଳେ ଦେଖିବ ଯେ ଲିପା ହୋଇଥିବା ମାଟି ନିଆଁ ଉପରେ ଖୁବ୍‌ ଲାଲହୋଇ ଯାଇଅଛି ସେତେବେଳେ ତାକୁ ନିଆଁରୁ ବାହାର କରି ଆଣିବ, ନଡ଼ିଆକୁ ଭାଙ୍ଗି ଷଢ଼େଇକୁ ଫୋପାଡ଼ି ଦେଇ ନଡ଼ିଆ ସହିତ ଲୁଣକୁ ବାଟି ଅଳ୍ପ ପିପ୍ପଳୀ ଚୂର୍ଣ୍ଣ ମିଶାଇ ପ୍ରତିଦିନ ଅଢ଼େଇ ମଷା ଓଜନରେ ଜଳ ଅନୁପାନରେ ସେବନ କରିବ । (ଏହାର ନାମ ନାରିକେଳ ଲବଣ) ଏହା ପରିଣାମ ଶୂଳର ମହୌଷଧ ।

 

 

 

ଅମ୍ଳପିତ୍ତ–

ଅମ୍ଳପିତ୍ତ ରୋଗୀ ଭୋଜନ କରିସାରି ଜଳ ନ ପିଇ କେବଳ ପଇଡ଼ପାଣି ପିଇଲେ ତାହାର ଅଶେଷ ଉପକାର ହୁଏ ।

 

 

 

ରକ୍ତପିତ୍ତ–

ନଡ଼ିଆ ଗଛର ବାଉଙ୍ଗା ପୋଡ଼ି ତାହାର ଧୂଆଁ ଶୁଙ୍ଘିଲେ ନାକରୁ ରକ୍ତ ପଡ଼ିବା ଭଲହୁଏ ।

 

 

 

ଯାଦୁ–

ନଡ଼ିଆ ସଢ଼େଇର ଝାଳ ଲଗାଇଲେ ଯାଦୁ ଆରୋଗ୍ୟ ହୁଏ ।

 

 

 

କୁଷ୍ଠ–

ଗୋଟିଏ ଅଧାଡ଼ୁଆ ନଡ଼ିଆରେ କଣାକରି ତହିଁରେ କିଛି ଚାଉଳ ପୂରାଇ ରଖି ଦେବ । ସେହି ଚାଉଳ ସଢ଼ିଗଲେ ତାହାକୁ ବାଟି ଲେପ ଦେଲେ ବିପାଦିକା କୁଷ୍ଠ (ହାତ; ପାଦ; ଫାଟିଯିବା) ଶୀଘ୍ର ଉପଶମ ହୁଏ ।

 

 

 

ଧାତୁରୋଗ–

କିଞ୍ଚିତ ଫିଟିକିରି ଚୂର୍ଣ୍ଣ ଗୋଟିଏ ଅଧାଡ଼ୁଆ ନଡ଼ିଆର ଆଖିବାଟେ ପୂରାଇ ମୁଖବନ୍ଦ କରି ୨୪ ଘଣ୍ଟା ପଙ୍କ ମଧ୍ୟରେ ପୋତି ରଖିବ । ପରଦିନ ସକାଳୁ ବାହାର କରି ଜଳ ସହିତ ଉକ୍ତ ଚୂର୍ଣ୍ଣକୁ ପାନକଲେ ସକଳ ପ୍ରକାର ଧାତୁରୋଗ ଶୀଘ୍ର ଉପଶମ ହୁଏ ।

 

 

 

ଅଶ୍ମରୀ–

ନଡ଼ିଆ ଫୁଲ ଚାରିମଷା ଓ ଯବଖାର ଚାରିମଷାକୁ ପାଣିରେ ବାଟି ସକାଳେ ସେବନ କଲେ ପଥୁରୀ ରୋଗ ଆରୋଗ୍ୟ ହୁଏ ।

 

 

 

ଅରୁଚି–

ଅରୁଚି ହୋଇଥିଲେ ନାଳି ପଇଡ଼ ଖାଇ ସେହି ପଇଡ଼ର ପାଣି ପିଇଲେ ଅରୁଚି ଛାଡ଼ିଯାଏ ଓ ପେଟ ଗରମ ଏବଂ ଦେହର ଜ୍ୱାଳା ପୋଡ଼ା ଶୀଘ୍ର ଉପଶମ ହୁଏ ।

 

 

 

ହିକ୍କା–

ପଇଡ଼ ପାଣି ଗରମ କରି ଅଳ୍ପ ଅଳ୍ପ ପିଇଲେ ହିକ୍କା ଉପଶମ ହୁଏ ।

 

 

 

ପିପାସା-

ପଇଡ଼ ପାଣିରେ ଧନିଆଁ ଏକତୋଳା ଓ ପାନମହୁରୀ ଏକତୋଳା ତିନ୍ତାଇ ଏକଘଣ୍ଟା ପରେ ସେହି ଜଳ ପାନ କଲେ ମୁର୍ହୂ ମୁର୍ହୂ ହେଉଥିବା ପିପାସା ଶାନ୍ତି ହୁଏ ।

 

 

 

ଦନ୍ତରୋଗ–

ପଇଡ଼ ପାଣି ଗରମ କରି କୁଳୁକୁଞ୍ଚା କଲେ ଶିଥିଳ (ହଲୁଥିବା) ଦାନ୍ତ ଦୃଢ ହୁଏ ।

 

 

 

ଚକ୍ଷୁରୋଗ–

ନଡ଼ିଆ ଫୁଲ ଗୋରୁ ମୂତରେ ବାଟି ତାହାକୁ ଆଖିର ଚାରିପାଖରେ ଲେପ ଦେଲେ ଅଭିସ୍ୟନ୍ଦ (ଆଖିରୁ ପାଣି ଗଡ଼ିବା) ଉପଶମ ହୁଏ ।

 

 

 

ତୁଣ୍ଡଘା–

ନଡ଼ିଆ ରସରେ ଶୁଣ୍ଠିଚୂନା ମିଶାଇ ଖୁବ୍‌ ଗରମ ଭାତରେ ଘୋଡ଼ାଇ ରଖିବ । ବାମ୍ଫ ମରିଗଲାରୁ ତାହା ଖାଇଲେ ‘‘ତୁଣ୍ଡଘା’’ ଭଲହୁଏ ।

 

 

 

ଶରୀର ପୃଷ୍ଟି–

ଅଧାଡ଼ୁଆ ନଡ଼ିଆ ପ୍ରତିଦିନ ଏକଫାଳ ଅଭ୍ୟାସ କରି କିଛି ଦିନ ଖାଇଲେ ଶରୀରର ବଳ; ବୀର୍ଯ୍ୟ ଓ କାନ୍ତି ବର୍ଦ୍ଧିତ ହୁଏ ।

Image

 

ବେଲ

 

ଜ୍ୱର–

ବେଲଗଛ ମୂଳର ଛେଲି (ସ୍ତ୍ରୀ) ସ୍ତନ ଦୁଧରେ ବାଟି ପିଆଇଲେ ବାଳକ ମାନଙ୍କର ପୁଅଜ୍ୱର ଆରୋଗ୍ୟ ହୁଏ ।

 

 

 

ଜ୍ୱରର ପ୍ରଳାପ–

ବେଲପତ୍ର (ଜଳ ନ ଦେଇ-ବାଟି) ମୁଣ୍ଡରେ ବୋଳି ରଖିଲେ ଜ୍ୱର ରୋଗୀର ପ୍ରଳାପ ଶାନ୍ତ ହୁଏ ।

 

 

 

ନିଉମୋନିଆ–

ବେଲପତ୍ର ବାଟି ଛାତିରେ ପ୍ରଲେପ ଦେଲେ ତରୁଣ ଶ୍ଳେଷ୍ମା (ନିଉମୋନିଆଁରେ) ଉପକାର ହୁଏ ।

 

 

 

ବାନ୍ତି–

ବେଲମୂଳ କିମ୍ବା ଛେଲିର କ୍ୱାଥ ଏକ ତୋଳାରେ ମହୁ ପ୍ରକ୍ଷେପ ଦେଇ ପାନକଲେ ବାନ୍ତି ଦୂର ହୁଏ ।

 

 

 

ହଇଜା–

ବେଲ ଛେଲିକୁ ଉତ୍ତମରୂପେ ସିଝାଇ ହଇଜା ରୋଗୀର ପ୍ରଥମ ଅବସ୍ଥାରେ ସେହି ପାଣିରୁ ଅଳ୍ପ ପିଆଇ ଦେବ । ଯଦି ଏକାବେଳକେ ଝାଡ଼ା ବନ୍ଦ ହୋଇଯାଏ ତାହାହେଲେ ଅଳ୍ପ ନିମଛେଲି ଗୋଟିଏ ପିପ୍‌ଳୀ ସହିତ ସିଝାଇ ପିଇଲେ ଅଳ୍ପ ଝାଡ଼ା ହୁଏ ।

 

 

 

ଆମାଶୟ–

(କ)

ଗୋଟିଏ କଞ୍ଚା କସି ବେଲକୁ ନିଆଁରେ ପୋଡ଼ି ଥଣ୍ଡାକରି ସେଥିରେ ଗୁଡ଼ କିମ୍ବା ମିଶ୍ରି ମିଶାଇ ଖାଇଲେ ଆମାଶୟ ଭଲହୁଏ ।

 

 

 

 

(ଖ)

ବେଲ ପୋଡ଼ି ସେଥିରେ ଅଣିଏ ଓଜନର ଶ୍ୱେତଝୁଣା ମିଶାଇ ତିନିଦିନ ସେବନ କଲେ ଆମାଶୟ ଆରୋଗ୍ୟ ହୁଏ ।

ଅର୍ଶ–

ଅର୍ଶରୋଗୀ ପକ୍ଷରେ ପାଚିଲା ବେଲ ଅମୃତ ପରି କାର୍ଯ୍ୟ କରିଥାଏ । ଏହାଦ୍ୱାରା ଅର୍ଶ ଶାନ୍ତି ହୁଏ ଓ ନିର୍ବିଘ୍ନରେ ଓ ସହଜରେ ଝାଡ଼ା ହୋଇଯାଏ ।

ଶୋଥ–

ବେଲପତ୍ର ରସରେ ତ୍ରିକଟୁ (ଶୁଣ୍ଠି, ପିପ୍ପଳୀ, ମରିଚ) ଚୂର୍ଣ୍ଣ ଅଧତୋଳା ମିଶାଇ କିଛିଦିନ ସେବନ କଲେ ସର୍ବପ୍ରକାର ଶୋଥ ଶୀଘ୍ର ଉପଶମ ହୁଏ-।

କାମଳ–

ବେଲ ଅଗି ପ୍ରତିଦିନ ଏକୋଇଶଟି ଗୋଲମରିଚ ମିଶାଇ ଗୋଟି ଗୋଟି କରି ଚୋବାଇ ଖାଇଲେ କାମଳ ରୋଗ ଆରୋଗ୍ୟ ହୁଏ । (ମାତ୍ର ଦୂରବର୍ତ୍ତୀ ବେଳେ ଗଛମୂଳକୁ ଯାଇ ଖାଇ ଫେରି ଆସିବାକୁ ହେବ) ।

ବ୍ରଣ–

ବେଲପତ୍ର ବାଟି ବ୍ରଣରେ ଲେପ ଦେଲେ ବ୍ରଣ ଆରୋଗ୍ୟ ହୁଏ ।

ସର୍ପାଘାତ–

(କ)

ଫୁଲ ଫୁଟି ନ ଥିବା ବେଲଗଛର ଚେରକୁ ୩୫ ଗୋଟି ଗୋଲ ମରିଚ ସହିତ ବାଟି ପିଆଇଲେ ସର୍ପବିଷ ବିନଷ୍ଟ ହୁଏ ।

 

(ଖ)

ବେଲଚେର ଓ ହଳଦୀ ଏକତ୍ର ବାଟି ପିଆଇଲେ ଓ ଲେପ ଦେଲେ ସର୍ପବିଷ ନଷ୍ଟ ହୁଏ ।

Image

 

ଲେମ୍ବୁ

 

ଅଜୀର୍ଣ୍ଣ ଝାଡ଼ା (ଡାଇରିଆ)–

ହଳଦିଆ ରଙ୍ଗ ପଡ଼ିଯାଇ ଥିବା ପାକଳ କାଗଜିଲେମ୍ବୁର ଭିତର ମଞ୍ଜି ଓ ରୁଆ ପ୍ରଭୃତି ସବୁ ଏକାବେଳେ ପକାଇଦେଇ କେବଳ ତାହାର ଚୋପାକୁ ଅଧଗିଲାସେ ଥଣ୍ଡା ପାଣିରେ ପ୍ରାୟ ଦଶମିନିଟ୍‌ ପର୍ଯ୍ୟନ୍ତ ଖୁବ୍‌ଭଲକରି ହାତରେ ମକଚିବ । ତାପରେ ଉକ୍ତ ପାଣିକୁ ସେହିପରି ଅବସ୍ଥାରେ ମିନିଟିଏ ବା ଦୁଇମିନିଟ୍‌ ରଖିଦେବ । ଦେଖିବ ପାଣି ଉପରେ ତେଲପରି ଗୋଟାଏ ଜିନିଷ (oily substance) ଭାସିବ । ତା ପରେ ସେହି ପାଣିକି ଥରେ ଭାଙ୍ଗିଦେଇ ପିଇ ଦେବ । ଏହାପରେ ଆଉ ଝାଡ଼ା ହେବ ନାହିଁ । ଏହା ପ୍ରତ୍ୟକ୍ଷ ପରୀକ୍ଷିତ ।

 

 

 

ହଇଜା–

ହଇଜା (cholera) ରେ ଆକ୍ରାନ୍ତ ହେଲେ କାଗଜିଲେମ୍ବୁ ରସରେ ଏକରତି କର୍ପୂର ମିଶାଇ ବାରମ୍ବାର ସେବନ କଲେ ରୋଗୀ ରକ୍ଷାପାଏ ।

 

 

 

ବାନ୍ତି–

(କ)

ଅଳ୍ପ ମିଶ୍ରି ସର୍ବତରେ ଲେମ୍ବୁରସ ଦେଇ ସେବନ କଲେ ବାନ୍ତି ବନ୍ଦ ହୁଏ ।

 

 

 

 

(ଖ)

କାଗେଜି ଲେମ୍ବୁ ରସରେ ମହୁ ମିଶାଇ ସେବନ କଲେ ବାନ୍ତି ବା ବାନ୍ତିର ବେଗ ଉପଶମ ହୁଏ ।

 

 

 

ଅରୁଚି–

ଜ୍ୱର କିମ୍ବା କୌଣସି ରୋଗରେ ପଡ଼ି ଅରୁଚି ହେଲେ ପାଚିଲା ଲେମ୍ବୁ ଫାଳେ ନେଇ ଟିକିଏ କନ୍ଦଚୂନା ତା ମଧ୍ୟରେ ପୂରାଇ ଲିଭିଲା ନିଆଁରେ ୫ ମିନିଟ ରଖି ତାକୁ ଆଣି ମୁହଁରେ ଘସିଲେ ଏବଂ ଏ ରସ ଖାଇଲେ ନିଶ୍ଚୟ ଅରୁଚି ଛାଡ଼ିଯାଏ-

 

 

 

ଅଗ୍ନିମାନ୍ଦ୍ୟ–

ରାତ୍ରରେ ୪ପାନେ ଲେମ୍ବୁ ରସରେ ଗୋଟିଏ ଗଣ୍ଠି କଉଡ଼ି ପକାଇ ସକାଳେ ସାମାନ୍ୟ ଚିନି ଦେଇ ଖାଇଲେ ଅଗ୍ନିମାନ୍ଦ୍ୟ ଦୂରହୋଇ କ୍ଷୁଧାର ଉଦ୍ରେକ ହେବ-

 

 

 

ଗ୍ରହଣୀ–

କାଗେଜିଲେମ୍ବୁ ରସ ଓ ସୈନ୍ଧବ ଲବଣ ଏକତ୍ର ପ୍ରତିଦିନ ସେବନ କଲେ ଗ୍ରହଣୀ ରୋଗ ଉପଶମ ହୁଏ ।

 

 

 

ଅମ୍ଳଶୂଳ,ଶୂଳ–

ଏକଅଣା ଓଜନ ସାଜିମାଟି ଓ ଲେମ୍ବୁରସ ଅଧଛଟାଙ୍କି ସହ ସେବନ କଲେ ଛାତି ପୋଡ଼ା ସହ ଅମ୍ଳଶୂଳ; ଶୂଳ ଭଲ ହୁଏ ।

 

 

 

ଅମ୍ଳପିତ୍ତ–

ପାଚିଲା କାଗେଜିଲେମ୍ବୁ ରସରେ ଏକତୋଳା ଚିନି ମିଶାଇ ସେବନ କଲେ ଛାତି ପୋଡ଼ିବା ଅମ୍ଳ ଢ଼କାର ଓ ଅମ୍ଳପିତ୍ତ ରୋଗ ଉପଶମ ହୁଏ ।

 

 

 

ପ୍ଲୀହା ଓ ଯକୃତ–

କାଗେଜିଲେମ୍ବୁ ଗଛର ମୂଳର ଛେଲି ଚୂର୍ଣ୍ଣ କରି ସୁକିଏ ଓଜନ ନେଇ ସଦ୍ୟ ଗୋରୁମୂତ୍ରରେ ସେବନ କଲେ ପ୍ଲୀହା ଓ ଯକୃତ ଆରୋଗ୍ୟ ହୁଏ ।

 

 

 

ଘା–

କଳଙ୍କି ଲୌହପାତ୍ରରେ ଲେମ୍ବୁରସ ପକାଇ ଖଣ୍ଡିଏ ଧଳା ଅରଖ ମୂଳଘସିବ । ଯେତେବେଳେ ଦେଖିବ ଯେ, ଲେପ ପ୍ରସ୍ତୁତ ହେଲା; ତାହାକୁ ଆଣି କ୍ଷତ ସ୍ଥାନରେ ଲେପ ଦେଲେ ଅସାଧ୍ୟ କ୍ଷତ ଶୁଖିଯାଏ ।

 

 

 

ଚର୍ମରୋଗ–

ଲେମ୍ବୁ ରସକୁ ଦେହରେ ଘଷିଲେ ଅନେକ ପ୍ରକାର ଚର୍ମରୋଗ ନଷ୍ଟ ହୁଏ ।

 

 

 

ଉପଦଂଶ ଘା–

କଳଙ୍କି ଲୌହ ପାତ୍ରରେ ଲେମ୍ବୁରସ ଓ କର୍ପୂର ଦେଇ ଲୌହ ଦଣ୍ଡରେ ମର୍ଦ୍ଦନ କରି ଘନ ହେଲେ ତାହାର ଲେପ ଦେଲେ ‘‘ଗରମି ଘା’’ ଶୀଘ୍ର ଶୁଖିଯାଏ ।

 

 

 

ପିନସ–

ଲେମ୍ବୁ ରସରେ ଅଫିମକୁ ଘୋରି ନାଶନେଲେ ପିନସ ରୋଗ ଭଲ ହୁଏ ।

 

 

 

ଛଉ–

କାଗେଜିଲେମ୍ବୁ ରସରେ ଗନ୍ଧକ ଚୂର୍ଣ୍ଣ ମିଶାଇ ପ୍ରଲେପ ଦେଲେ ଛଉ ଚାଲିଯାଏ ।

 

 

 

ଚକ୍ଷୁରୋଗ–

ଲେମ୍ବୁଗଛର ଚେର କାନରେ ବାନ୍ଧିଲେ ଆଖିରେ ଫୁଲା ପଡ଼ିବା ଭଲହୁଏ ।

 

 

 

କର୍ଣ୍ଣରୋଗ–

କାନ ପରିଷ୍କାର କରି କାଗେଜିଲେମ୍ବୁ ରସ ଛାଣି ନେଇ କେତେକ ଟୋପା କାନରେ ପକାଇ, ସେଥିରେ ଟିକିଏ କଉଡ଼ି ଭସ୍ମ ପକାଇଲେ ‘‘କାନଟଣା’’ ଉପଶମ ହୁଏ ।

 

 

 

ଶୀର ରୋଗ–

ମୁଣ୍ଡ ବିନ୍ଧୁଥିଲେ (ପିତ୍ତର ଯୋଗ) ଲେମ୍ବୁରୁ ଫାଳେ ନେଇ ମୁଣ୍ଡରେ ଘସିଲେ ଶୀଘ୍ର ଉପଶମ ହୁଏ ।

 

 

 

ମ୍ୟାଲେରିଆ–

ତଟକା କାଗଜିଲେମ୍ବୁ ଦୁଇଖଣ୍ଡ କରି କାଟି ମାଟି ହାଣ୍ଡିରେ ଅଧସେର ଜଳରେ ସିଝାଇବ । ଅଧପାଏ ଥାଉଁ ଓହ୍ଲାଇ କାକରରେ ରଖିବ । ସକାଳେ ଛାଣି ପିଇବାକୁ ଦେବ । ସାତଦିନ ଏହିପରି ପିଆଇଲେ ମ୍ୟାଲେରିଆ ଭଲହୁଏ ।

 

 

 

ମୂତ୍ରରୋଧ–

ବାଳକ ଓ ଶିଶୁମାନଙ୍କର କୌଣସି କାରଣରୁ ପ୍ରସ୍ରାବ ବନ୍ଦ ହେଲେ ଲେମ୍ବୁରସ ଓ ଚିନି ଏକତ୍ର ମିଶାଇ ନାଭିରେ ମାଲସ କଲେ ପ୍ରସ୍ରାବ ହୁଏ ।

Image

 

ଡାଳିମ୍ବ

 

ଅତିସାର–

ଡାଳିମ୍ବପତ୍ର ଓ ଉଷୁନା ଚାଉଳ ଏକତ୍ର ଜଳରେ ବାଟି ପିଇଲେ ଅତିସାର ଆରୋଗ୍ୟ ହୁଏ ।

 

 

 

ରକ୍ତାତିସାର–

କସି ଡାଳିମ୍ବର ଚୋପା ଓ ପିତାକୋରୁଆ ଛେଲି ଉଭୟ ମିଳିତ ଦୁଇତୋଳାରେ କ୍ୱାଥ ପ୍ରସ୍ତୁତ କରି ଏକତୋଳା ମହୁ ମିଶାଇ ସେବନ କଲେ ଅତିଉଗ୍ର ଅତିସାର ଓ ରକ୍ତାତିସାର ଶୀଘ୍ର ଆରୋଗ୍ୟ ହୁଏ ।

 

 

 

ଗ୍ରହଣୀ–

ଡାଳିମ୍ବ ଫୁଲ, ପତ୍ର, ଛେଲି, କସିଫଳ, ଓ ମୂଳ ଏକତ୍ର ମୋଟ ଦୁଇତୋଳା ବାଟି ପିଇଲେ ଗ୍ରହଣୀ ଶୀଘ୍ର ଆରୋଗ୍ୟ ହୁଏ ।

 

 

 

ରକ୍ତାର୍ଶ–

କସି ଡାଳିମ୍ବଫଳରସରେ କନ୍ଦ ବା ଚିନି ମିଶାଇ ଚାଟି ଖାଇଲେ ରକ୍ତାର୍ଶ ଆରୋଗ୍ୟ ହୁଏ ।

 

 

 

ରକ୍ତପିତ୍ତ–

(କ)

ଡାଳିମ୍ବପତ୍ରରସ ନାକରେ ପକାଇଲେ ନାକରୁ ରକ୍ତ ପଡ଼ିବା ଆରୋଗ୍ୟ ହୁଏ ।

 

 

 

 

(ଖ)

ଡାଳିମ୍ବ ଛେଲିର କ୍ୱାଥରେ ଦିନରେ ଦୁଇ ତିନିଥର ମୁଣ୍ଡ ଧୋଇଲେ ନାକରୁ ରକ୍ତପଡ଼ିବା ଆରୋଗ୍ୟ ହୁଏ ।

 

 

 

ଅରୁଚି ଓ ଦୁର୍ବଳତା–

ବହୁଦିନ ବେମାରରେ ପଡ଼ି ଦୁର୍ବଳ ଓ ଅରୁଚି ହେଲେ ପାଚିଲା ଡାଳିମ୍ବରସ ଖାଇଲେ ଅରୁଚି ଛାଡ଼ିବା ସଙ୍ଗେ ସଙ୍ଗେ ଦୁର୍ବଳତା ଶୀଘ୍ର ଦୂର ହୁଏ ।

 

 

 

ଦନ୍ତରୋଗ–

ଡାଳିମ୍ବ ଫୁଲକୁ ଶୁଖାଇ ଚୂର୍ଣ୍ଣ କରି ସେଥିରେ ଦାନ୍ତ ଘସିଲେ ଦାନ୍ତରୁ ରକ୍ତ ପଡ଼ିବା ଉପଶମ ହୁଏ

 

 

 

କେଶର ଅକାଳ ପକ୍ୱତା–

କେଶର ଅକାଳ ପକ୍ୱତାରେ (ଅସମୟରେ ବାଳ ପାଚି ଯାଉଥିଲେ) କିମ୍ବା ମୁଣ୍ଡର ବାଳ ଉପୁଡ଼ି ଯାଉଥିଲେ ଡାଳିମ୍ବର ସଜଫୁଲ ୨ତୋଳା ମେଥିସାଗ ୪ତୋଳା ଉଭୟକୁ ଏକସେର ଜଳରେ ସିଝାଇ ଅଧସେର ଅବଶିଷ୍ଟ ରଖି ଶୀତଳ ହେଲେ ସେହି କ୍ୱାଥ ମୁଣ୍ଡ ଧୋଇଲେ କେଶର ଅକାଳପକ୍ୱତା ଦୂର ହୋଇ କେଶର ଶୋଭା ବର୍ଦ୍ଧନ କରେ ।

Image

 

ବାଇଗଣ

 

ରକ୍ତାର୍ଶ–

ଗୋଟିଏ ଧଳାରଙ୍ଗର ବାଇଗଣ ଉପରେ କାଦୁଅ ଲେପି ନିଆଁରେ ପୋଡ଼ି ସେଥିରେ ଅଳ୍ପ ପରିମାଣରେ ସୋରିଷତେଲ ଓ ଲୁଣ ମିଶାଇ ଚକଟି ଖାଇଲେ ରକ୍ତାର୍ଶ ଆରୋଗ୍ୟ ହୁଏ ।

 

 

କର୍ଣ୍ଣ ରୋଗ–

ବାଇଗଣ ପୋଡ଼ି ତାହାର ଧୂଆଁ ଓ ଭସ୍ମ ସୋରିଷତେଲ କାନରେ ପୂରଣ କଲେ କାନର କୃମି ମରିଯାନ୍ତି ।

 

 

ଗର୍ଭିଣୀର ଫୁଲ ପଡ଼ିବାକୁ–

ବାଇଗଣ ଗଛର ଉତ୍ତରପଟ ଚେର ଆଣି ବାଟି ପିଆଇଲେ ସ୍ତ୍ରୀମାନଙ୍କର ଫୁଲ ଶୀଘ୍ର ଖସିପଡ଼େ ।

 

 

ହାଡ଼ଭଙ୍ଗା–

ବାଇଗଣକୁ ଚେକା ଚେକା କରି କାଟି ଭଗ୍ନ (ଭାଙ୍ଗି ଯାଇଥିବା ସ୍ଥାନରେ) ଦେଇ କନା ଭିଡ଼ି ତାହାପରେ ଥରକୁଥର ପାଣି ଇଡ଼ୁଥିବ । ଏଥିରେ ‘‘ହାଡ଼ଭଙ୍ଗାକୁ’’ ଉପକାର ହୁଏ ।

 

 

ବିଷ ଭକ୍ଷଣ–

ବାଇଗଣ ପତ୍ର (ଜଳ ନ ଦେଇ ଛେଚି ତାହାର ରସ) ଅଧପା ଖୁଆଇଲେ ବାନ୍ତି ହୋଇ ଅଫିମ ବିଷ ନଷ୍ଟ ହେବ । କିନ୍ତୁ ଶୋଇବାକୁ ଦେବନାହିଁ ।

Image

 

ପୋଟଳ ପତ୍ର

 

ଅଧାକପାଳି–

ପୋଟଳ ପତ୍ରକୁ ଛେଚି, ଜଡ଼ାତେଲ ବା ଲହୁଣୀରେ ଖରଡ଼ି ମୁଣ୍ଡରେ ବାନ୍ଧିଲେ ଅଧାକପାଳୀ ଭଲହୁଏ ।

 

 

ଶୀରରୋଗ–

ପୋଟଳ ପତ୍ର ରସରେ ମହୁ ମିଶାଇ ତାଳୁରେ ମାଲସ କଲେ ମୁଣ୍ଡବୁଲା, ବିନ୍ଧା ସତ୍ଵର ଆରୋଗ୍ୟ ହୁଏ, ଓ ମସ୍ତିଷ୍କ ଶୀତଳ ରଖେ ।

 

 

(ଜ୍ୱରରେ) ଘମ–

ପୋଟଳପତ୍ର ରସ ଦେହରେ ବୋଳିଲେ ଜ୍ୱର ଯୋଗୁଁ ବେଶି ଝାଳ ବୋହିବା ଦୂର ହୁଏ ।

 

 

ପିତ୍ତବୃଦ୍ଧି–

ପୋଟଳପତ୍ର ଓ ଡଙ୍କ କଞ୍ଚା କଦଳୀରେ ରାନ୍ଧି ଘିଅରେ ବଘାରି ଖାଇଲେ ଶରୀରର ପିତ୍ତବୃଦ୍ଧି ଉପଶମ ହୁଏ ।

 

 

ବାତରକ୍ତ–

ପୋଟଳପତ୍ରର କ୍ୱାଥ ମହୁରେ ସେବନ କଲେ ବାତରକ୍ତ ରୋଗରେ ଉପକାର ହୁଏ ।

Image

 

ପାନ

 

ଜୀର୍ଣ୍ଣଶକ୍ତି–

(କ)

ପାନରେ ଚୂର୍ଣ୍ଣ ଲଗାଇ ଗୁଆ, ଖଇର, ଅଳାଇଚ, ଓ ଲବଙ୍ଗ ଦେଇ ଖାଇଲେ ଅଜୀର୍ଣ୍ଣ ନଷ୍ଟହୁଏ ।

 

 

 

(ଖ)

ପାନ ଗୋଲମରିଚ ଏକତ୍ର ସେବନ କଲେ ଅଜୀର୍ଣ୍ଣ ନଷ୍ଟ ହୁଏ ।

 

 

ପେଟପ୍ରାସ–

ପାନସଙ୍ଗେ ଗୋଲମରିଚ ଭାଜି ଚୋବାଇ ପାଣି ପିଇଲେ ଆମଜନିତ ପେଟପ୍ରାସ ଆରୋଗ୍ୟ ହୁଏ ।

 

 

ବାଳରୋଗ–

ପାନରେ ସୋରିଷତେଲ ଲଗାଇ ଗରମ କରି ଛାତିରେ ପଟି ଦେଇ ବାନ୍ଧିଲେ ଶୁଖିଲା କାଶ କିମ୍ବା କାଶରେ କଫ ପଡ଼ୁଥିଲେ ଭଲହୁଏ । ବାଳକମାନଙ୍କର କାଶ ଓ କଫର ଏହା ପ୍ରତ୍ୟକ୍ଷ ଫଳପ୍ରଦ ।

 

 

ଗୋଦର–

ସାତୋଟି ପାନପତ୍ର ବାଟି କିଛି ସୈନ୍ଧବଲବଣ ମିଶାଇ ଗରମ ଜଳରେ ସେବନ କଲେ ଗୋଦର ନଷ୍ଟହୁଏ ।

 

 

ଘା–

ପାନପତ୍ରରେ ଗୋଟିଏ ପାଖରେ ତେଲ ଲଗାଇ ତାକୁ ଗରମ କରି ପୁରୁଣା ଘା ଉପରେ ପକାଇ ପଟିଦେଇ ବାନ୍ଧିବ । ଏଥିରେ ‘‘ପୁରାତନ ଘା’’ ଆରୋଗ୍ୟ ହୋଇଥାଏ ।

 

 

ସ୍ତନରୋଗ–

ପୋଖତି ସ୍ତ୍ରୀ ମାନଙ୍କର ସ୍ତନରୁ ଅଧିକ ପରିମାଣରେ ଦୁଧ ବାହାରିଲେ ସେହି ଅଧିକା ଦୁଧର ସ୍ରୋତ ବନ୍ଦ ହେବାପାଇଁ ପାନକୁ ଗରମ କରି ସ୍ତନରେ ପକାଇ ପଟି ବାନ୍ଧିବ ।

 

 

ଉକୁଣି–

ରାତ୍ରରେ ଶୋଇଲା ବେଳେ ପାନରସ ମୁଣ୍ଡରେ ଘସ ଶୋଇ ସକାଳୁ ଧୋଇ ଦେଲେ ଉକୁଣି ସବୁ ମରିଯାନ୍ତି ।

 

 

ଅନ୍ଧାରକଣା–

ପାନକୁ ହାତରେ ଦଳି ତାହାର ରସକୁ ରାତିରେ ଆଖିରେ ପକାଇଲେ ଆନ୍ଧାରକଣା ଭଲହୁଏ ।

Image

 

ପଦ୍ମ

 

ଗୁଦଭ୍ରଂଶ (ପଦ୍ମଖସିବା)–

କଅଁଳ ପଦ୍ମପତ୍ର ବାଟି ଅଧତୋଳା ମାତ୍ରାରେ ଚିନି ମିଶାଇ ସେବନ କଲେ ଗୁଦଭ୍ରଂଶ ନିବାରିତ ହୁଏ ।

 

 

ରକ୍ତପିତ୍ତ–

(କ)

କଅଁଳ ପଦ୍ମପତ୍ରକୁ ବାଟି ଚିନିସଙ୍ଗେ ସେବନ କଲେ ଓ ଛେଳିଦୁଧ ପିଇଲେ ନାକବାଟେ ରକ୍ତ ପଡ଼ିବା ଦୂରହୁଏ ।

 

 

 

(ଖ)

ମୁଖବାଟେ ରକ୍ତ ପଡ଼ିଲେ ପଦ୍ମକେଶରରେ ଚିନି ମିଶାଇ ସେବନ କଲେ ଆରୋଗ୍ୟ ହୁଏ ।

 

 

ଶୂଳହଗା–

ପଦ୍ମ ମୂଳ ଭାଜି ଖାଇଲେ ଶୂଳାହଗା ଭଲହୁଏ ।

 

 

ଦାହ–

କଅଁଳ ପଦ୍ମପତ୍ର ଓ ପଦ୍ମଫୁଲ ହାତ ଗୋଡ଼ ଜ୍ୱାଳାର ମହୌଷଧ । ଓପର ଓଳିଠାରୁ ଯାହାଙ୍କର ଜ୍ୱାଳା ଆରମ୍ଭ ହୁଏ ସେମାନଙ୍କ ପକ୍ଷେ ପଦ୍ମଫୁଲ ଓ କସିପତ୍ର ବାଟି ହାତ ଗୋଡ଼ରେ ବୋଳିଲେ ଉପକାର ହୁଏ ।

 

 

ଅର୍ଶ–

ପଦ୍ମ କେଶରକୁ ଚିନି ଓ ଲହୁଣୀ ସହିତ ଖାଇଲେ ଅର୍ଶରୋଗ ବା ଅର୍ଶରେ ଯନ୍ତ୍ରଣା ଉପଶମ ହୁଏ ।

Image

 

ଭୂଇଁକଖାରୁ

 

ବୃଦ୍ଧ ଯୁବା ପରି ହେବା–

(କ)

ଭୂଇଁକଖାରୁ ଚୂର୍ଣ୍ଣ ଏକତୋଳାରେ ସୁକିଏ ଓଜନ ଘିଅ ଓ ଯଜ୍ଞଡୁମୁର ରସ ମିଶାଇ ପାନକଲେ (କିଛିଦିନ ଅଭ୍ୟାସ କରି) ବୃଦ୍ଧ ମଧ୍ୟ ଯୁବାପରି ହୋଇଥାଏ ।

 

 

 

 

(ଖ)

ଭୂଇଁକଖାରୁ ଚୂର୍ଣ୍ଣକରି ସେଥିରେ କଞ୍ଚା ଭୂଇଁକଖାରୁ ରସ ବାହାରକରି ସେହି ଚୂର୍ଣ୍ଣରେ ଦେଇ ଶୁଖାଇବ । ଶୁଖିଗଲେ ପୁଣି କିଛି ରସ ବାହାର କରି ସେଥିରେ ଦେଇ ଶୁଖାଇବ । ଏପରି ସାତବାର ସେହି ରସକୁ ଭାବନା ଦେଇ ଶୁଖାଇ ନେଇ ସେହି ଚୂର୍ଣ୍ଣର ସୁକିଏ ଓଜନ ଘିଅ ଓ ମହୁ ମିଶାଇ ଉପର ବେଳା ସେବନ କଲେ ବୃଦ୍ଧଲୋକ ମଧ୍ୟ ଯୁବକ ପରି ଶକ୍ତି ସମ୍ପନ୍ନ ହୋଇଥାଏ ।

 

 

 

ସ୍ତନରେ ଦୁଗ୍ଧହେବାକୁ–

ଭୂଇଁକଖାରୁ ମୂଳ ଓ ଅରୁଆଚାଉଳ ସମାନଭାଗରେ ମୋଟ୍‌ ଦୁଇତୋଳା ନେଇ ଅଧପାଏ ଗାଈ ଦୁଧରେ ସେବନ କଲେ ସ୍ତ୍ରୀ ମାନଙ୍କର ସ୍ତନରେ ଦୁଗ୍ଧ ହୋଇଥାଏ-

Image

 

ପାଣିକଖାରୁ

 

ରକ୍ତ ପରିସ୍ରା–

ଏକଛଟାଙ୍କି ପାଣିକଖାରୁ ଜଳରେ କିଛି ଚିନି ମିଶାଇ ସେବନ କଲେ ରକ୍ତ ପରିସ୍ରା ଶୀଘ୍ର ଦୂରହୁଏ ।

 

 

ପଥୁରିଆ ରୋଗ–

ପାଣିକଖାରୁ ଡଙ୍କ ଅସ୍ମରୀ (ପଥୁରୀ) ରୋଗରେ ପଥ୍ୟ ସ୍ୱରୂପ ବ୍ୟବହୃତ ହୁଏ-

Image

 

ହଇଜାରେ ପରିସ୍ରା

 

ବନ୍ଦ ହେଲେ–

ହଇଜାରେ (କଲେରାରେ) ପରିସ୍ରା ହେଉ ନ ଥିଲେ ପାଣିକଖାରୁର ଅନ୍ତିବାହାର କରି ତାହାକୁ ତଳପେଟରେ ଦେଲେ ପରିସ୍ରା ଖୁଲାସା ହୁଏ, ଏଥିରେ ଯବଖାର ଏକଭରି ମିଶାଇଲେ ବିଶେଷ ଉପକାର ହେବ ।

 

 

ଗୋଡ଼ଫଟା–

ପାଣିକଖାରୁ ଡଙ୍କ ପୋଡ଼ି, ସେହି ପାଉଁଶକୁ ଲହୁଣୀରେ ଖଲ୍ଲି ଗୋଡ଼ଫଟାରେ ଦେଲେ ଗୋଡ଼ଫଟା ଶୀଘ୍ର ଆରୋଗ୍ୟ ହୁଏ ।

Image

 

ପୋଇ

 

କାଶ–

ପୋଇପତ୍ର ରସ ଅଢ଼େଇ ତୋଳାରେ ଚିନି ଦୋଣିଏ ଓଜନ ମିଶାଇ ଦିନ ମଧ୍ୟରେ ତିନି ଚାରିଥର ସେବନକଲେ କାଶ ଆରୋଗ୍ୟ ହୁଏ ।

 

 

ଗଣ୍ଡମାଳା–

ପୋଇପତ୍ର ରସ ଲଗାଇ ତା ଉପରେ ପୋଇପତ୍ର ବାନ୍ଧି ରଖିଲେ ଗଣ୍ଡମାଳା ଆରୋଗ୍ୟ ହୁଏ ।

 

 

ବିଷଦୋଷ–

ସଁବାଳୁଆ ଦେହରେ କୌଣସି ସ୍ଥାନରେ ଲାଗିଗଲେ, ପୋଇପତ୍ର ନେଇ ତାହା ଉପରେ ଘସିଦେଲେ ତାହାର ବିଷ ନଷ୍ଟ ହୁଏ ।

Image

 

କଲରା

 

କୃମି–

କଲରା ପତ୍ର ରସ ଦୁଇତୋଳା ଗରମପାଣିରେ ସେବନ କଲେ ପେଟରେ କୃମି ସବୁ ମରିଯାନ୍ତି ।

 

 

ଅର୍ଶ–

କଲରାପତ୍ର ରସ ଦୁଇତୋଳା ମାତ୍ରାରେ ପ୍ରତିଦିନ ସେବନ କଲେ ଅର୍ଶରୋଗ ଉପଶମ ହୁଏ ।

 

 

ବସନ୍ତ–

କଲରାପତ୍ର ରସ ଏକତୋଳାରେ ହଳଦୀଚୂର୍ଣ୍ଣ ଦୋଣିଏ ଓଜନ ମିଶାଇ ସେବନ କଲେ ବସନ୍ତ ରୋଗରେ ଉପକାର ହୁଏ ।

 

 

ଘା–

କଲରାପତ୍ର ବାଟି ଲେପଦେଲେ ‘‘ଘା’’ ପୂରି ଉଠେ ।

 

 

ସନ୍ନିପାତ–

କଲରାପତ୍ରରସ ନାକରେ ତେଣ୍ଡିଲେ ସନ୍ନିପାତ ଆରୋଗ୍ୟ ହୁଏ ।

Image

 

ପିଆଜ

 

ଯକ୍ଷ୍ମା–

ପ୍ରତ୍ୟହ ସକାଳେ ତିନୋଟି ବା ଧାତୁଭେଦରେ ପାଞ୍ଚଗୋଟି କିମ୍ବା ସାତଗୋଟି କଟା ପିଆଜ ଖାଇବାକୁ ହେବ, ମାଛ ମାଂସ ଓ ଲୁଣ ଏକବାରେ ତ୍ୟାଗ କରିବ । ଗୋ-ଘୃତପକ୍ୱ, ଦୁଗାନ୍ନ ଖାଇବ, ରାତ୍ରରେ ପାଚିଲା ବେଲ ବା ଖଜୁର ବା ଗୋଦୁଗ୍ଧ ମାତ୍ର ଖାଇ ରହିବ । ଏ ପ୍ରକ୍ରିୟାରେ ଅନେକ ଯକ୍ଷ୍ମାରୋଗୀ ଭଲ ହୋଇ ଅଛନ୍ତି । କେହି କେହି ପିଆଜ ବଦଳରେ ରସୁଣ ଖାଇ ମଧ୍ୟ ସେହିପରି ଉପକାର ପାଇଥିବାର ଶୁଣାଯାଏ । ବ୍ରହ୍ମଚର୍ଯ୍ୟ ରକ୍ଷାକରା ଏକାନ୍ତ ଆବଶ୍ୟକ । ଏଥି ସଙ୍ଗେ ପ୍ରତି ସପ୍ତାହରେ ଥରେ ଅଧଛଟାଙ୍କି ନୂଆ ଦୂବରସ ଖାଇଲେ ବିଶେଷ ଉପକାର ହେବ ।

Image

 

ହଇଜା

 

(କଲେରା)–

ହଇଜା ପୋଖରୀ ଜାଣି ପାରିଲେ ତିନୋଟି ପିଆଜ ଛେଚି ତାହାର ରସ ପିଆଇ ଦେଲେ ରୋଗୀ ରକ୍ଷାପାଏ–ଏହା ପରୀକ୍ଷିତ ଅଟେ ।

Image

 

ରସୁଣ

 

ପ୍ଲୀହା ଓ ଯକୃତ–

ରସୁଣକୁ ବାଟି ଯକୃତ ଓ ପ୍ଲୀହା ଉପରେ ପ୍ରଲେପ ଦେଲେ ଯକୃତ ଓ ପ୍ଲୀହାର କଠିନତା ନିବାରିତ ହୁଏ ।

 

 

ବାତରୋଗ–

ପ୍ରତିଦିନ ସକାଳେ ତୋଳାଏ ରସୁଣ ସେବନ କଲେ ବାତରୋଗ ଉପଶମ ହୁଏ ।

 

 

ଆଘାତରେ ବେଦନା–

ଶରୀରରେ କୌଣସି ସ୍ଥାନରେ ଆଘାତଲାଗି ବେଦନା ହେଉଥିଲେ ରସୁଣବାଟି ପ୍ରଲେପ ଦେଲେ ବେଦନା ଉପଶମ ହୁଏ ।

 

 

ଶ୍ଲେଷ୍ମା–

ରସୁଣ ଓ ମରିଚ ସମଭାଗରେ ଛେଚି, କନାପୁଡ଼ାରେ ବାନ୍ଧି ଶୁଙ୍ଘିଲେ (ଜ୍ୱରରେ) ଶ୍ଲେଷ୍ମା ନଷ୍ଟ ହୁଏ ।

Image

 

ଅର୍ଦ୍ଦିତ

 

(ମୁହଁବଙ୍କା)–

ରସୁଣ ଅଧତୋଳା ଓ ଲହୁଣି ଅଧୋତୋଳା ଏକତ୍ର ମିଶାଇ ସେବନ କଲେ ଅର୍ଦ୍ଦିତରୋଗ (ବାତରେ ମୁହଁବଙ୍କା ହୋଇ ଯାଇଥିଲେ) ନିଶ୍ଚୟ ଆରୋଗ୍ୟ ହୁଏ ।

 

 

ପିନସ–

ରସୁଣରସ ଓ ଇନ୍ଦ୍ରମାରିସ ପତ୍ରରସ ଏକତ୍ର କରି ନାଶ ନେଲେ ପିନସ ରୋଗ ଆରୋଗ୍ୟ ହୁଏ ।

 

 

ସର୍ପବିଷ–

ଅଢ଼େଇ ତୋଳା ରସୁଣ ସହିତ ଛେଳିଦୁଧ ମିଶାଇ ପିଆଇଲେ ଓ ରସୁଣ ସିଠାକୁ କ୍ଷତସ୍ଥାନରେ ଲେପଦେଲେ ସର୍ପବିଷ ନଷ୍ଟ ହୁଏ ।

 

 

ବାତଜ୍ୱର–

ପ୍ରତିଦିନ ଏକମୁଠା ମୁଢ଼ି ସଙ୍ଗରେ କଞ୍ଚାରସୁଣ ଖାଇଲେ ବାତଜ୍ୱର ଛାଡ଼ିଯାଏ ।

Image

 

Unknown

ଅଦା

 

ଅଜୀର୍ଣ୍ଣ–

ଅଧତୋଳା ଅଦା ଓ ସୈନ୍ଧବ ଲୁଣ ସେବନ କଲେ ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟ ରୋଗ ବିନଷ୍ଟ ହୁଏ ।

 

 

 

ମୁଖରୋଗ–

ଗରମ ଜଳରେ ଅଦାରସ ମିଶାଇ କୁଳି କଲେ ମୁଖର ଦୁର୍ଗନ୍ଧ ନାଶ ହୁଏ ।

 

 

 

କାଶ–

ଅଦାରସ ଦୁଇ ତୋଳାରେ ମହୁ ଏକତୋଳା ମିଶାଇ ସେବନ କଲେ କାଶର ଉପକାର ହୁଏ ।

 

 

 

ଦରଜ (ପ୍ରାସ)–

ଅଦାବାଟି ପ୍ରଲେପ ଦେଲେ ଫୁଲା ଓ ଦରଜ ଛାଡ଼ିଯାଏ ।

 

 

 

କଫ–

ଅଦା ଓ ଅରୁଆଚାଉଳ ବାଟି ଛାତିରେ ଲେପଦେଲେ ଛାତିରେ କଫ ବସିଥିଲେ କଫ ତରଳି ପଡ଼ିଯାଏ ।

 

 

 

ବାତରୋଗ–

(କ)

ଅଦା ଓ ରସୁଣ ମିଳିତ ଦୁଇତୋଳା ବାଟି ବେଦନା ସ୍ଥାନରେ ପ୍ରଲେପଦେଲେ ବାତଯୋଗୁ ହୋଇଥିବା ଫୁଲା ଆରୋଗ୍ୟ ହୁଏ ।

 

 

 

 

(ଖ)

ଅଦାରସରେ ମହୁମିଶାଇ ସେବନକଲେ ବାତଜ ବୃଦ୍ଧିରୋଗ ଉପଶମ ହୁଏ-

 

 

 

ମୂର୍ଚ୍ଛା–

ଅଦାରସକୁ ମୂର୍ଚ୍ଛା ଯାଇଥିବା ରୋଗୀର ଆଖିରେ ପକାଇଲେ ଶୀଘ୍ର ଚେତନା ଆସିଥାଏ ବା ମୂର୍ଚ୍ଛାଭଙ୍ଗ ହୁଏ ।

 

 

 

ଶୋଥ–

(କ)

ଅଧତୋଳା ଅଦାବାଟି ପୁରୁଣା ଗୁଡ଼ ସହିତ ସେବନ କଲେ ଶୋଥ ଉପଶମ ହୁଏ ।

 

 

 

 

(ଖ)

ଅଦାରସ ଓ ମହୁ ଏକତ୍ର ମିଶାଇ ସେବନ କଲେ କଫଜ କାଶ ଆରୋଗ୍ୟ ହୁଏ ।

 

 

 

ମୂତ୍ରଶୂଳ–

ଦୁଇତୋଳା ଅଦାରସରେ ଜଡ଼ାତେଲ ମିଶାଇ ସେବନ କଲେ ସଙ୍ଗେ ସଙ୍ଗେ ମୂତ୍ରଶୂଳ ଆରୋଗ୍ୟ ହୁଏ ।

Image

 

ହରିଡ଼ା

 

ଆମାଶୟ–

ହରିଡ଼ାଗୁଣ୍ଡାରେ କଲିଚୂନ ମିଶାଇ ସେବନ କଲେ ଆମରକ୍ତ ଆରୋଗ୍ୟ ହୁଏ-

 

 

 

 

(ମାତ୍ରା ଏକ ଅଣା ଓଜନରେ ମୋଟ୍‌ ଦୁଇଅଣା ।)

 

 

 

କୋଷ୍ଠଶୁଦ୍ଧି–

ଦୁଇଗୋଟି ବଡ଼ ପାଚିଲା ହରିଡ଼ା ଉତ୍ତମରୂପେ ଜଳରେ ବାଟି ଅଳ୍ପ ଗରମ କରି ସେବନ କଲେ ଦସ୍ତ ପରିଷ୍କାର ହୁଏ । ଏହା ନିର୍ଦ୍ଦୋଷ ଜୁଲାପ ।

 

 

 

ପାଣ୍ଡୁ–

ହରିଡ଼ା ଓ ଗୁଡ଼ ଏକତ୍ର କିଛିଦିନ ସେବନ କଲେ ପାଣ୍ଡୁରୋଗ ଆରୋଗ୍ୟ ହୁଏ-

 

 

 

ଅର୍ଶ–

ହରିଡ଼ାଗୁଣ୍ଡ ଅଧତୋଳା ଓ ଚିନି ଅଧତୋଳା ଏକତ୍ର ଜଳରେ ମିଶାଇ ରାତ୍ରରେ ଶୋଇବା ପୂର୍ବରୁ ସେବନ କଲେ ଅର୍ଶରେ ବିଶେଷ ଉପକାର ହୁଏ ।

 

 

 

ଆମବାତ–

ହରିଡ଼ା ଚୂର୍ଣ୍ଣ କରି ଜଡ଼ାତେଲରେ ମିଶାଇ ସେବନ କଲେ ଦସ୍ତ ପରିଷ୍କାର ହୋଇ ଆମବାତ, ଗୃଧ୍ରସୀ, କୋଷବୃଦ୍ଧି ରୋଗ ସବୁ ଆରୋଗ୍ୟ ହୁଏ ।

 

 

 

ଉପଦଂଶ–

ହରିଡ଼ାର ଚୂନାରେ ମହୁ ମିଶାଇ ପ୍ରଲେପ ଦେଲେ ଉପଦଂଶର ଲାଘବ ହୁଏ ।

 

 

 

ବାତରକ୍ତ–

ତିନୋଟି ବା ପାଞ୍ଚୋଟି ହରିଡ଼ା (ମଞ୍ଜି କଢ଼ା) ଚୂର୍ଣ୍ଣକରି ଅଧତୋଳା ପୁରୁଣା ଗୁଡ଼ରେ ସେବନ କରି ଗୁଳୁଚିର କ୍ୱାଥ ପାନ କଲେ ବାତରକ୍ତ ରୋଗ ଆଶ୍ଚର୍ଯ୍ୟରୂପେ ଆରୋଗ୍ୟ ହୁଏ ।

 

 

 

କୁଷ୍ଠ–

(କ)

ହରିଡ଼ା ଗୁଣ୍ଡ ଅଧତୋଳା ଗୋରୁମୂତରେ ମିଶାଇ ସେବନ କଲେ କୁଷ୍ଠରୋଗ ଆରୋଗ୍ୟ ହୁଏ ।

 

 

 

 

(ଖ)

ଗୋରୁମୂତରେ ହରିଡ଼ା ସିଝାଇ ସେହି ହରିଡ଼ା ଦିନରେ ଦୁଇ ବାର ସେବନ କଲେ ପାଣ୍ଡୁ, ଗୁଳ୍ମ, ମେହ, କଫ, କାଛୁ ଓ ପାମା ରୋଗ ଆରୋଗ୍ୟ ହୁଏ ।

 

 

 

ଛେଚା ଘା–

ହରିଡ଼ାକୁ ଓ ପୋଡ଼ା ଚାଉଳକୁ ଏକତ୍ର ବାଟି ଛେଚା ‘ଘା’ରେ ପ୍ରଲେପ ଦେଲେ ତାହା ଆରୋଗ୍ୟ ହୁଏ ।

 

 

 

ବାଲିଜନ୍ଦା–

ହରିଡ଼ା ଘୋରି ଉଷୁମ କରି ଲଗାଇଲେ ବାଲିଜନ୍ଦା ଆରୋଗ୍ୟ ହୁଏ ।

 

 

 

ବ୍ରଣ (ବଥ)–

ହରିଡ଼ାକୁ ଜଳରେ ଘସି ବ୍ରଣ ବା ବଥରେ ଲଗାଇଦେଲେ ତାହା ପାଚିଯାଏ । ଏହି ଏକ ଔଷଧରେ ପୂଯ ବାହାରି ଯାଇ ଘାଆ ଶୁଖିଯାଏ ।

 

 

 

ମୁଖବ୍ରଣ–

ବଥ ବିଶେଷତଃ ମୁଖବ୍ରଣରେ ହରିଡ଼ା ସର୍ବୋତ୍କୃଷ୍ଟ ।

 

 

 

ଗୋଦର–

ହରିଡ଼ା ଚୂର୍ଣ୍ଣକରି ପୁରୁଣା ଗୁଡ଼ରେ ମିଶାଇ ଅଧତୋଳା ଗୋରୁମୂତରେ ସେବନ କଲେ ବହୁକାଳର ଗୋଦର, ଯାଦୁ ଓ କୁଷ୍ଠ ଆରୋଗ୍ୟ ହୁଏ ।

 

 

 

ବସନ୍ତ–

ଗୋଟିଏ ହରିଡ଼ା ମଞ୍ଚି ପୁରୁଷର ଦକ୍ଷିଣ ହସ୍ତରେ ଓ ସ୍ତ୍ରୀର ବାମହସ୍ତରେ ବାନ୍ଧି ରଖିଲେ ବସନ୍ତରୋଗର ଆକ୍ରମଣ କରିବାର ଭୟ ନ ଥାଏ ।

 

 

 

ଭ୍ରମ–

ହରିଡ଼ାର କ୍ୱାଥରେ ଘିଅ ପାକ କରି ସେହି ଘିଅ ପାନକଲେ ଭ୍ରମରୋଗ ନିବାରିତ ହୁଏ ।

 

 

 

ବାନ୍ତି–

(କ)

ହରିଡ଼ାଚୂନାରେ ମହୁମିଶ୍ରିତ କରି ପାନକଲେ ଦସ୍ତ ପରିଷ୍କାର ହୋଇ ବାନ୍ତି ଦୂର ହୁଏ ।

 

 

 

 

(ଖ)

ହରିଡ଼ାଚୂନାକୁ ମହୁରେ ସେବନ କଲେ ଦେହ ଉକୁଚେଇବା (ବାନ୍ତିର ଉଦ୍ରେକ) ଆରୋଗ୍ୟ ହୁଏ । ମାତ୍ର ସାବଧାନ, ଗର୍ଭିଣୀରବାନ୍ତି ବନ୍ଦ କରିବାକୁ ଏ ଔଷଧର ପ୍ରୟୋଗ ନିଷେଧ ।

 

 

 

ଚକ୍ଷୁରୋଗ–

ହରିଡ଼ାକୁ ଘିଅରେ ଭାଜି ଚକ୍ଷୁର ବାହାରେ ପ୍ରଲେପ ଦେଲେ, ଆଖିରୁ ପାଣି ଗଡ଼ି ନାନାରୋଗ ଆରୋଗ୍ୟ ହୁଏ ।

Image

 

ପିପ୍ପଳୀ

 

ଉଦରରୋଗ–

ପିପ୍ପଳୀଚୂର୍ଣ୍ଣ ସୁଉକିଏ ଓଜନରେ ଜଡ଼ାତେଲ ଅଧଛଟାଙ୍କିଏ ମିଶାଇ ସେବନ କଲେ ଦସ୍ତ ପରିଷ୍କାର ହୋଇ ଉଦରରୋଗ ଭଲହୁଏ ।

 

 

 

କୋଷ–

ପିପ୍ପଳୀ ମୂଳ ଓ ଗୋଲମରିଚ ସମଭାଗରେ ନେଇ ଗୋରୁ-ମୂତରେ ବାଟି ପ୍ରଲେପ ଦେଲେ କୋଷର ଫୁଲା ଓ ଯନ୍ତ୍ରଣା ଦୂରହୁଏ ।

 

 

 

ଗଳଗଣ୍ଡ–

ଗଜପିପ୍ପଳୀ ଚୂର୍ଣ୍ଣ ମହୁରେ ବା ନିମ୍ବତେଲରେ ମିଶାଇ ତାହାର ନାଶ ନେଲେ ଗଳଗଣ୍ଡ, ଗଣ୍ଡମାଳା ଆରୋଗ୍ୟ ହୁଏ ।

 

 

 

କାଶ ଓ ଶ୍ୱାସ–

ପିପ୍ପଳୀଚୂର୍ଣ୍ଣ ଦୁଇଅଣା ଓଜନରେ ପୁରୁଣା ଗୁଡ଼ ମିଶାଇ ଚାଟି ଖାଇଲେ କାଶ, ଶ୍ୱାସ ଓ ଯକ୍ଷ୍ମା ଉପଶମ ହୁଏ ।

 

 

 

ଦନ୍ତରୋଗ–

(କ)

ପିପ୍ପଳୀଚୂର୍ଣ୍ଣରେ ମହୁ ଓ ଘିଅ ଅସମାନ ଭାବରେ ମୁହଁରେ ଧାରଣକଲେ ଦନ୍ତଶୂଳ ଆରୋଗ୍ୟ ହୁଏ ।

 

 

 

 

(ଖ)

ପିପ୍ପଳୀମୂଳ ବାଟି ଦାନ୍ତମୂଳରେ ଦାବି ରଖିଲେ ଶିଥିଳ (ହଲୁଥିବା) ଦନ୍ତ ଦୃଢ଼ ହୁଏ ।

 

 

 

 

(ଗ)

କଞ୍ଚା ପିପ୍ପଳୀକୁ ଛେଚି ତାହାର ଚୂର୍ଣ୍ଣରେ ଦାନ୍ତଘସିଲେ (ପ୍ରତିଦିନ) ଦାନ୍ତରୁ ରକ୍ତପଡ଼ିବା, ପୂଯପଡ଼ିବା ନିଶ୍ଚୟ ଆରୋଗ୍ୟ ହୁଏ ।

 

 

 

ଅମ୍ଳପିତ୍ତ–

ପିପ୍ପଳୀଚୂର୍ଣ୍ଣି ସୁକିଏ ଓଜନର ମହୁସହିତ ସେବନ କଲେ ଅମ୍ଳପିତ୍ତ ଆରୋଗ୍ୟ ହୁଏ ।

Image

 

ହଳଦୀ

 

ଚକ୍ଷୁରୋଗ–

କଞ୍ଚା ହଳଦି ରସ ପରିଷ୍କାର କନାରେ ବୁଡ଼ାଇ ସର୍ବଦା ଆଖି ପୋଛିଲେ, ଆଖିର ଲାଲ୍‌ ଆରୋଗ୍ୟ ହୁଏ ।

 

 

ପାଣ୍ଡୁ–

କଞ୍ଚା ହଳଦିଚୂନା ଏକଅଣା ଓଜନରେ କିଛି ଘିଅ, ଚିନି ଓ ମହୁ ମିଶାଇ ସେବନ କଲେ ପାଣ୍ଡୁ କାମଳ ଆରୋଗ୍ୟ ହୁଏ ।

 

 

 

(ଘିଅ ଓ ମହୁ ସମାନ ଭାଗରେ ମିଶାଇବ ନାହିଁ)

 

 

କାମଳ–

ହଳଦୀଚୂନା ଦୁଇତୋଳା ଘୋଳଦହି ଆଠ ତୋଳାରେ ମିଶାଇ ସେବନକଲେ କାମଳ ରୋଗ ଆରୋଗ୍ୟ ହୁଏ ।

 

 

କୃମି–

ହଳଦୀଚୂନାକୁ ପୋଡ଼ା ଗହମ ପାଣିରେ ମିଶାଇ ସେବନ କଲେ କୃମି-ଆରୋଗ୍ୟ ହୁଏ ।

 

 

କାଛୁ–

ହଳଦୀ ଚୂନାକୁ ଅଧପା ଗୋରୁମୂତରେ ମିଶାଇ ସେବନ କଲେ କାଛୁ ଓ ପାମା ଆରୋଗ୍ୟ ହୁଏ ।

 

 

କୁଣ୍ଡିଆ–

ହଳଦୀକୁ ପାଳଧୁଆ ପତ୍ର ରସରେ ବାଟି ସେବନ କଲେ ‘କୁଣ୍ଡିଆ’ ଆରୋଗ୍ୟ ହୁଏ ।

 

 

ବଥ–

ହଳଦୀବାଟି ରଙ୍ଗଜଡ଼ା ରସରେ ମିଶାଇ ପ୍ରଲେପ ଦେଲେ ବଥ ଫାଟିଯାଏ ।

 

 

ବାଲିଜନ୍ଦା–

ନୁଖୁରା ହଳଦୀ ଲଗାଇଲେ ବାଲିଜନ୍ଦା ଆରୋଗ୍ୟ ହୁଏ ।

 

 

ଛଉ–

ହଳଦୀ ଓ କଦଳୀ ବାଉଙ୍ଗାର ଖାର ଏକତ୍ର ମିଶାଇ ଛଉରେ ଲଗାଇଲେ ଛଉ ଆରୋଗ୍ୟ ହୁଏ ।

 

 

କୁମ୍ଭୀର କାମୁଡ଼ା–

କୁମ୍ଭୀର କାମୁଡ଼ା ଯାଗାରେ ବଟା ହଳଦୀ ଲଗାଇଲେ ଉପକାର ହୁଏ ।

Image

 

ପିତାକୋରେଇ

 

ଆମାଶୟ–

ଦୁଇତୋଳା ପିତାକୋରେଇ ଛେଲିକୁ ଅଧସେର ଛେଳିଦୁଧରେ ସିଝାଇ ଅଧପା ଥାଉଁ ଛାଣି ଦିନରେ ଦୁଇଥର (ସକାଳେ ଓ ସନ୍ଧ୍ୟାବେଳେ) ସେବନ କଲେ ପ୍ରବଳ ଆମାଶୟ ଉପଶମ ହୁଏ ।

 

 

ଅତିସାର–

ଦୁଇତୋଳା ପିତାକୋରେଇ ଛେଲିର ଉଷ୍ମ କ୍ୱାଥ ସେବନ କଲେ ଅତିସାର ଆରୋଗ୍ୟ ହୁଏ ।

 

 

ଗ୍ରହଣୀ–

ପିତାକୋରେଇ ଛେଲି ଏକ ତୋଳାରେ ଡାଳିମ୍ବଛେଲି ଏକତୋଳା ମିଶାଇ ଅଧସେର ଜଳରେ ସିଝାଇ ଅଧପା ଥାଉଁ ଓହ୍ଲାଇ ସେବନ କଲେ ଗ୍ରହଣୀ ଆରୋଗ୍ୟ ହୁଏ ।

 

 

ରକ୍ତାର୍ଶ–

ପିତାକୋରେଇ ଛେଲି ଘୋଳଦହିରେ ବାଟି ସେବନ କଲେ ରକ୍ତାର୍ଶ ଆରୋଗ୍ୟ ହୁଏ ।

 

 

ମୂତ୍ର କୃଚ୍ଛ୍ର–

ପିତାକୋରେଇ ଛେଲି କଳ ଅଧତୋଳା; କିଞ୍ଚିତ୍‌ ଗାଈଦୁଧରେ ସେବନ କଲେ ଦାରୁଣ ମୂତ୍ରକୃଚ୍ଛ୍ର ଶୀଘ୍ର ଆରୋଗ୍ୟ ହୁଏ ।

Image

 

ମୂତଥଳିରେ

 

ବେଦନା–

ପିତାକୋରେଇ ଛେଲି ଚୂର୍ଣ୍ଣକରି ସୁକିଏ ଓଜନ ନେଇ ଏକଛଟାଙ୍କି ଘୋଳଦହିରେ ମିଶାଇ ସେବନକଲେ ପ୍ରସ୍ରାବ (ମୂତ୍ର) ଥଳିର ବେଦନା ଆରୋଗ୍ୟ ହୁଏ ।

 

 

ଦନ୍ତରୋଗ–

ପିତାକୋରେଇ କ୍ୱାଥରେ ଟିକିଏ ପିଟିକିରି ମିଶାଇ ବାରମ୍ବାର କୁଳି କଲେ ସର୍ବପ୍ରକାର ଦନ୍ତରୋଗ ଆରୋଗ୍ୟ ହୁଏ ।

Image

 

ଗୁଳୁଚି

 

ଜ୍ୱର–

(କ)

ଗୁଳୁଚି ରସ ଏକତୋଳା ମହୁ ଅଧତୋଳା ମିଶାଇ ସେବନ କଲେ ଜ୍ୱର ଆରୋଗ୍ୟ ହୁଏ ।

 

 

 

 

(ଖ)

ଗୁଳୁଚି ଏକତୋଳା ଓ ମୁଥା ଏକତୋଳା ଏକତ୍ର ଅଧସେର ଜଳରେ ସିଝାଇ ଅଧପା ଥାଉ ଥାଉ, ଛାଣି ସେବନ କଲେ ଜ୍ୱର ଛାଡ଼ିଯାଏ ।

 

 

 

ପୁରାତନ ଜ୍ୱର–

(କ)

ଗୁଳୁଚିର କ୍ୱାଥ ପାଞ୍ଚ ତୋଳାରେ ମହୁ ଓ ପିପ୍ପଳୀ ମିଶାଇ ଶୀତଳ ହେଲେ ତାହା ସେବନ କରିବ ଏଥିରେ ପୁରାତନ ଜ୍ୱର ନିଶ୍ଚୟ ଯିବ-

 

 

 

 

(ଖ)

ଗୁଳୁଚିର ପତ୍ର ଶାଗପରି ଖରଡ଼ି ଭାତର ପ୍ରଥମ ତିନିଗୁଣ୍ଡା ସହିତ ସେବନ କଲେ ପୁରାତନ ଜ୍ୱର ଆରୋଗ୍ୟ ହୁଏ ।

 

 

 

କୋଷ୍ଠ ବଦ୍ଧତା–

ଗୁଳୁଚିର କ୍ୱାଥରେ ଗୁଡ଼ ମିଶାଇ ସେବନ କଲେ ମଳବଦ୍ଧତା ଦୂରହୁଏ ।

 

 

 

ବାନ୍ତି–

କଞ୍ଚା ଗୁଳୁଚିକୁ ଛେଚି ରାତ୍ରରେ ଜଳରେ ବତୁରାଇ ରଖି ସକାଳେ ସେହି ଜଳରେ ମହୁ ଏକତୋଳା ମିଶାଇ ସେବନ କଲେ ଅସାଧ୍ୟ ବାନ୍ତି ଶୀଘ୍ର ଉପଶମ ହୁଏ ।

 

 

 

କାମଳ–

(କ)

ଗୁଳୁଚି ପତ୍ରକୁ ଘୋଳଦହିରେ ବାଟି କିଛିଦିନ ସେବନ କଲେ କାମଳ ରୋଗ ଆରୋଗ୍ୟ ହୁଏ ।

 

 

 

 

(ଖ)

ଗୁଳୁଚି ରସ ଏକତୋଳାରେ ଆଠ ଦଶ ଟୋପା ମହୁ ମିଶାଇ ତିନିମାସ ସେବନ କଲେ କାମଳ (ଦେହ ହଳଦିଆ ପଡ଼ିଯିବା) ରୋଗ ଆରୋଗ୍ୟ ହୁଏ ।

 

 

 

 

(ଗ)

ଗୁଳୁଚି ପତ୍ରକୁ ଘୋଳ ଦହିରେ ବାଟି କିଛିଦିନ ସେବନ କଲେ କାମଳରୋଗ ଆରୋଗ୍ୟ ହୁଏ ।

 

 

 

ଦାହ–

ଗୁଳୁଚିର କ୍ୱାଥ ପାନକଲେ ଦାହରୋଗ ଆରୋଗ୍ୟ ହୁଏ ।

 

 

 

ହୃଦ୍‌ରୋଗ–

ଗୁଳୁଚିରସ ଅଧତୋଳାରେ ଗୋଲମରିଚ ଅଢ଼େଇଟି ମିଶାଇ ଗରମଜଳରେ ପାନକଲେ ଛାତି ଧଡ଼ପଡ଼ (ହୃଦ୍‌ରୋଗ) ଆରୋଗ୍ୟ ହୁଏ ।

 

 

 

ଶୂଳ–

ଗୁଳୁଚି କ୍ୱାଥରେ ମରିଚ ଚୂର୍ଣ୍ଣ ମିଶାଇ ସେବନ କଲେ ଶୂଳରୋଗ ଆରୋଗ୍ୟ ହୁଏ ।

 

 

 

ଆମବାତ–

ଗୁଳୁଚିର କ୍ୱାଥରେ ଶୁଣ୍ଠି-ଚୂର୍ଣ୍ଣ ମିଶାଇ ସେବନ କଲେ ଆମବାତ ରୋଗ ବିନଷ୍ଟ ହୁଏ ।

 

 

 

ବାତରୋଗ–

ଗୁଳୁଚିର କ୍ୱାଥରେ ଘିଅ ମିଶାଇ ପାନ କଲେ ବାତରୋଗ ଶାନ୍ତହୁଏ ।

 

 

 

ବାତରକ୍ତ–

(କ)

ଗୁଳୁଚି ଓ ନିମ-ଛେଲି ଏକତ୍ର ସମଭାଗରେ ଦୁଇତୋଳା ନେଇ ଗୋରୁମୂତ୍ରରେ ବାଟି ଅଧତୋଳା ମାତ୍ରାରେ ଗୋରୁମୂତ୍ରରେ ଗୋଳାଇ ପିଇଲେ ବାତରକ୍ତ ଶୀଘ୍ର ଉପଶମ ହୁଏ ।

 

 

 

 

(ଖ)

ଗୁଳୁଚିର କ୍ୱାଥରେ ଶୋଧିତ ଶିଳାଜତୁ ପକାଇ ସେବନ କଲେ ବାତରକ୍ତ ଶାନ୍ତହୁଏ ।

 

 

 

 

(ଗ)

ଗୁଳୁଚିର କ୍ୱାଥରେ ଜଡ଼ାତେଲ ମିଶାଇ ସେବନ କଲେ ଉଗ୍ର ବାତରକ୍ତ ବିନଷ୍ଟ ହୁଏ ।

 

 

 

 

(ଘ)

ଗୁଳୁଚିର କ୍ୱାଥ ଦୁଇତୋଳାରେ ଶୋଧିତ ଗଗ୍ଗୁଳ ଦୋଅଣି ଓଜନ ପକାଇ ପାନକଲେ ବାତରକ୍ତ ଆରୋଗ୍ୟ ହୁଏ ।

 

 

 

ଗୋଦର–

ଗୁଳୁଚିର ରସ ବା କ୍ୱାଥରେ ଅଧତୋଳା ସୋରିଷତେଲ ମିଶାଇ ପ୍ରତିଦିନ ସେବନ କଲେ ଗୋଦର (ଶ୍ଳୀପଦ) ରୋଗ ଆରୋଗ୍ୟ ହୁଏ ।

Image

 

ନିମ୍ବପତ୍ର

 

 

ଚର୍ମରୋଗ–

(କ)

କଞ୍ଚା ନିମ୍ବପତ୍ର ଓ ହଳଦୀ ଏକତ୍ରବାଟି ଲଗାଇଲେ ଚର୍ମରୋଗ ନାଶହୁଏ-

 

 

 

(ଖ)

ନିମ୍ବଫୁଲକୁ ଭାଜିଖାଇଲେ କୁଣ୍ଡିଆ, ରମ୍ପା ଚାଲିଯାଏ ।

 

 

 

(ଗ)

ଭୂଇଁ ନିମ୍ବ ସହିତ ମରିଚବାଟି ପିଇଲେ କୁଣ୍ଡିଆ ଭଲହୁଏ ।

 

 

ଉକୁଣି–

ନିମ୍ବଫୁଲ ବାଟି ମୁଣ୍ଡରେ ଲେପିଲେ ଉକୁଣି ମରିଯାନ୍ତି ।

 

 

ଘା–

ମୁଠାଏ ନିମ୍ବପତ୍ର ପାଣିରେ ସିଝାଇ ସେହି ଉଷ୍ମ କ୍ୱାଥରେ ‘‘ଘା’’ ଧୋଇଲେ, ଘା’ର ବିଷ ଦୋଷ ଚାଲିଯାଏ ।

 

 

ବଥ ଓ ବାଳମୂଳିଆ–

ନିମ୍ବପତ୍ର ବାଟି ଘିଅରେ ଗରମକରି ବାଳମୂଳିଆ ଉପରେ ପ୍ରଲେପ ଦେଲେ ତାହା ଶୀଘ୍ର ପାଚି ଫାଟିଯାଏ । ପୂଯରକ୍ତ ବାହାରିଯିବା ପରେ ଏହି ପ୍ରଲେପ ଦ୍ୱାରା ‘‘ଘା’’ ଶୁଖିଯାଏ ।

 

 

ନଳିଘା–

ନିମ୍ବପତ୍ରର ଚୂନା ଅଧତୋଳାଏ ଅଧପାଏ ଗୁଆଘିଅରେ ମିଶାଇ ସେହି ଘିଅ, ଖଣ୍ଡେ କନାରେ ଲେପି ତାହା ନଳିଘା ମଧ୍ୟରେ ପୂରାଇ ରଖିଲେ ନଳିଘା କ୍ରମଶଃ ଶୁଖି ଆସେ ।

 

 

ଗୋଦର–

ନିମ୍ବମୂଳର ଛେଲି ସୁକିଏ ଓଜନରେ ଖଇର ସୁଉକିଏ ଓଜନ ମିଶାଇ, ଏକତ୍ର ବାଟି ଗୋରୁ-ମୂତ୍ରରେ ନିୟମିତ ସେବନ କଲେ ଗୋଦର ଆରୋଗ୍ୟ ହୁଏ ।

 

 

ବାତରକ୍ତ–

ନିମ୍ବପତ୍ରଚୂର୍ଣ୍ଣ ଓ ଗୁଳୁଚିଚୂର୍ଣ୍ଣ ସମପରିମାଣରେ ସୁଉକିଏ ଓଜନ ନେଇ ରସୁଣ-କ୍ୱାଥରେ ମିଶାଇ ସେବନ କଲେ, ବାତରକ୍ତ ଆରୋଗ୍ୟ ହୁଏ ।

 

 

ବାତରୋଗ–

ବଡ଼ ନିମ୍ବଗଛର ସାର ଜଳରେ ଘଷି ଏକତୋଳା ମାତ୍ରାରେ ସେବନ କଲେ, ଗୃଧ୍ରସୀରୋଗ ଆରୋଗ୍ୟ ହୁଏ ।

 

 

କୃମି–

ନିମ୍ବପତ୍ରରସ ଏକତୋଳାରେ କିଛି ମହୁ ମିଶାଇ ସକାଳେ ସେବନକଲେ କୃମି ସବୁ ମରି ଯାଆନ୍ତି ।

 

 

ଶୋଥ, କାମଳ–

ନିମ୍ବପତ୍ରରସ ଦୁଇତୋଳାରେ ମରିଚଚୂର୍ଣ୍ଣ ସୁଉକିଏ ଓଜନ ମିଶାଇ ପିଇଲେ ଶୋଥ, ଅର୍ଶ, ଓ କାମଳ ଉପଶମ ହୁଏ ।

 

 

ଜଣ୍ଡିସ୍‌–

ନିମ୍ବପତ୍ର ଦୁଇତୋଳା କିଞ୍ଚିତ୍‌ ମହୁ ସହିତ ପ୍ରତିଦିନ ସକାଳେ ପିଇଲେ Jaundice (ଜଣ୍ଡିସ୍‌) ଆରୋଗ୍ୟ ହୁଏ ।

 

 

ଅର୍ଶ–

କଅଁଳ ନିମ୍ବପତ୍ର ବିନା ଜଳରେ ବାଟି, ଘିଅ ମିଶାଇ ଅର୍ଶରେ ବୋଳିଦେଲେ ଅର୍ଶର ଜ୍ୱାଳା ଯନ୍ତ୍ରଣା ଆରୋଗ୍ୟ ହୁଏ ।

 

 

ରକ୍ତାର୍ଶ–

ମହାନିମ୍ବ ମଞ୍ଜି ଅଧଭରିରେ କନ୍ଦ ମିଶାଇ ଦୁଇବେଳା ସେବନ କଲେ ରକ୍ତାର୍ଶ ଆରୋଗ୍ୟ ହୁଏ ।

କୋଷ୍ଠ ଶୁଦ୍ଧି–

ନିମ୍ବପତ୍ର ଓ ଅଁଳା ସମଭାଗରେ ନେଇ ଚୂର୍ଣ୍ଣ କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇବାର ସେବନ କଲେ କୋଷ୍ଠ ପରିଷ୍କାର ହୁଏ ।

ଦାହ–

ନିମ୍ବପତ୍ର ବିଡ଼ା କରି ବିଞ୍ଚିହେଲେ ଦାହ (ଦେହ ପୋଡ଼ାଜ୍ୱାଳା) କମିଯାଏ ।

କର୍ଣ୍ଣରୋଗ–

ନିମ୍ବପତ୍ରକୁ ଜଳରେ ସିଝାଇ ତାହାର ପିଚକାରି କାନରେ ଦେଲେ କାନରେ ଥିବା ମଇଳା (କାନଗୁହ) ସଫା ହୁଏ ।

 

(କାନ ସଫା ପରେ ହାଡ଼ଭଙ୍ଗା ରସ ଦୁଇଚାରି ଟୋପା କାନରେ ପକାଇଲେ କାନର ଅନେକ ରୋଗ ଭଲ ହୁଏ)

ଡଙ୍କି–

କଅଁଳ ନିମ୍ବପତ୍ର ବାଟି ଲେପଦେଲେ ଡଙ୍କି ଆରୋଗ୍ୟ ହୁଏ ।

ଅପସ୍ମାର–

ରବିବାରରେ ନିମ୍ବଚେର ଆଣି ଖଣ୍ଡେ ନାଲି ସୂତାରେ ବାନ୍ଧି ହସ୍ତରେ ବାନ୍ଧିଲେ ‘‘ଅପସ୍ମାର’’ ଆରୋଗ୍ୟ ହୁଏ ।

ସର୍ପ ଦଂଶନ–

ବୈଶାଖ-ମାସରେ ଗୋଟିଏ ଦୁଇ ଗୋଟି ନିମ୍ବପତ୍ର ସହିତ ମସୁର-ଡାଲି ଖାଇଲେ ବର୍ଷେ ପର୍ଯ୍ୟନ୍ତ ସର୍ପଦଂଶନର ଭୟ ନ ଥାଏ । (ଗଜା ନିମ୍ବଗଛର ଚେରକୁ ବାଟି ପିଆଇଲେ ସର୍ପବିଷ ନଷ୍ଟହୁଏ ।)

Image

 

ଆମ୍ବ

 

ଶିଶୁର ଦୁଧବାନ୍ତି–

ଶିଶୁ ଦୁଧ ବାନ୍ତିକଲେ ଓ ତୃଷାରେ ଆତୁର ହେଲେ ପାଚିଲା ଆମ୍ବପତ୍ର ଡେମ୍ଫ ଦୁଇ ତୋଳା ଓଜନରେ ଆଣି ଟିକିଏ ଛେଚିଦେଇ ଗୋଟିଏ ମୁଗୁନି ବା ପଥୁରି ବାସନରେ ଅଧପାଏ ପରିଷ୍କାର ଶୀତଳ ଜଳରେ ବତୁରାଇ ଅଧଘଣ୍ଟା ରଖିଲା ପରେ ସେହି ଜଳରୁ ସାମୁକାଏ (ଏକ ଚାମଚ) ଲେଖାଏଁ ପ୍ରତି ପାଞ୍ଚ ମିନିଟ୍‌ରେ ପିଆଉ ଥିବ–ଏଥିରେ ଶିଶୁର ବାନ୍ତି ଓ ତୃଷା ଦୂର ହୁଏ ।

 

 

ବେଶିଦସ୍ତ–

ବେଶି ଦସ୍ତହେଲେ ଗଜା ଆମ୍ବଗଛରଛେଲିକୁ ଆଣି ପାଣିରେ ବାଟି ତଳିପେଟରେ ବୋଳି ରଖିଲେ ଦସ୍ତ ବନ୍ଦ ହୁଏ ।

Image

 

ଜାମୁ

 

ରକ୍ତାତିସାର–

ଜାମୁ, ଆମ୍ବ ଓ ଅଁଳାଗଛର କଅଁଳପତ୍ର ଏକତ୍ର ଛେଚି ତାହାର ରସକୁ ମହୁ ଓ ଛେଳି ଦୁଧରେ ସେବନ କଲେ, ଦୁର୍ନିବାର ରକ୍ତାତିସାର ଆରୋଗ୍ୟ ହୁଏ ।

 

 

କର୍ଣ୍ଣରୋଗ–

କସି ଜାମୁପତ୍ର, କସି ଆମ୍ବପତ୍ର, କସ କଇଁଥପତ୍ର, କଞ୍ଚା କପାବକଡ଼ା ଓ ଅଦା ଏହି ସମୁଦାୟର ରସରେ ମହୁ ମିଶାଇ କାନରେ ପକାଇଲେ କାନରୁ ପୂଯ ପଡ଼ିବା ଭଲହୁଏ ।

Image

 

ତେନ୍ତୁଳି

 

ଚକ୍ଷୁରୋଗ–

ତେନ୍ତୁଳି ପତ୍ରର କ୍ୱାଥରେ ଚକ୍ଷୁ ଧୋଇଲେ ଚକ୍ଷୁର ଦାହ (ପୋଡ଼ା) ଓ ଲାଲବର୍ଣ୍ଣ ଦୂର ହୁଏ ।

 

 

ମୂର୍ଚ୍ଛା–

ଏକବର୍ଷର ପୁରୁଣା ତେନ୍ତୁଳି ଅଧ ଭରିଏ ଆଣି ଏକପା ପାଣିରେ ରାତ୍ରରେ ତିନ୍ତାଇ ରଖିବ, ତହିଁ ଆରଦିନ ବଡ଼ିଭୋରୁ ତାହାକୁ ଛାଣି ସେଥିରେ ଦୁଇ ତୋଳା ଚିନି ମିଶାଇ ପିଇଲେ ସମସ୍ତ ପ୍ରକାର ମୂର୍ଚ୍ଛା ଆରୋଗ୍ୟ ହୁଏ ।

 

 

ସ୍ୱରଭଙ୍ଗ–

ଏକତୋଳା ତେନ୍ତୁଳି ଓ ପାଚିଲା ହରିଡ଼ା ଏକତ୍ର ବାଟି କଣ୍ଠରେ ଲେପଦେଲେ ସ୍ୱରଭଙ୍ଗ ଆରୋଗ୍ୟ ହୁଏ ।

 

 

ଅତିସାର–

ପୁରୁଣା ତେନ୍ତୁଳୀ ଓ କାଠିଆ କଦଳୀ ଏକତ୍ର ମିଶାଇ ଖାଇଲେ ଅତିସାରରେ ବିଶେଷ ଉପକାର ହୁଏ ।

 

 

ପରିସ୍ରା ପୋଡ଼ା–

ପୁରୁଣା ତେନ୍ତୁଳି ମଞ୍ଜିର ରସ ଖାଇଲେ ପରିସ୍ରା ପୋଡ଼ା ଆରୋଗ୍ୟ ହୁଏ ।

Image

 

ବଉଳ

 

ଦନ୍ତରୋଗ–

(କ)

ବଉଳପତ୍ର ଚୋବାଇ ଭଲରୂପେ ଦାନ୍ତ ଘଷିଲେ ଦନ୍ତରୋଗ ଆରୋଗ୍ୟ ହୁଏ ।

 

 

 

 

(ଖ)

ବଉଳଫୁଲ ଚୋବାଇ ଫୋପାଡ଼ି ଦେଲେ ଦନ୍ତମୂଳ ଦୃଢ ହୁଏ ।

 

 

 

ବିଛାକାମୁଡ଼ା–

ବଉଳମଞ୍ଜି ପଥରରେ ଘଷି ଚନ୍ଦନ ପରି କରି ବିଛା କିମ୍ବା ବିରୁଡ଼ି କାମୁଡ଼ିଥିବା ସ୍ଥାନରେ ଲଗାଇଲେ ଜ୍ୱାଳାଯନ୍ତ୍ରଣା ତତ୍‌କ୍ଷଣାତ୍‌ଉପଶମ ହୁଏ ।

 

 

 

ଦନ୍ତରୋଗ–

ବଉଳଛେଲିକୁ ଜଳରେ ସିଝାଇ ତହିଁରେ ଟିକିଏ ଫିଟିକିରି ପକାଇ ବାରମ୍ବାର କୁଳି କଲେ ଦାନ୍ତର ମୂଳ ଦୃଢ ହୁଏ ଓ ରକ୍ତ ପଡ଼ିବା ବନ୍ଦହୁଏ ।

 

 

 

ଗ୍ରହଣୀ–

ବଉଳଛେଲିକୁ ଅରୁଆ ଚାଉଳରେ ବାଟି ପିଇଲେ ଗ୍ରହଣୀରୋଗ ଆରୋଗ୍ୟ ହୁଏ ।

Image

 

ବର

 

ରକ୍ତପିତ୍ତ–

କଅଁଳ ବରପତ୍ର ବାଟି ମହୁ ମିଶାଇ ଚାଟି ଖାଇଲେ ରକ୍ତପିତ୍ତ ଆରୋଗ୍ୟ ହୁଏ ।

 

 

ଦରଜ–

ବରପତ୍ରକୁ ଗରମ କରି ସେଥିରେ ରାଶିତେଲ ମିଶାଇ ଦରଜ ଯାଗାରେ ବାନ୍ଧି ରଖିଲେ ଦରଜ ଉପଶମ ହୁଏ ।

 

 

ବ୍ରଣ–

ବଥ ବା ବ୍ରଣ ଉଠି ଆସୁଥିବା ବେଳେ କଅଁଳ ବରପତ୍ର ବାଟି ପ୍ରଲେପ ଦେଲେ ତାହା ବସିଯାଏ ।

 

 

ଦନ୍ତରୋଗ–

ବରପତ୍ରକୁ ଚୋବାଇ ଦାନ୍ତରେ ଘଷିଲେ ଦାନ୍ତହଲିବା ଭଲହୁଏ ।

 

 

ଡଙ୍କି–

ବର କ୍ଷୀର ଲଗାଇ (ମୁହଁକୁ ଛାଡ଼ି ଚାରିପାଖରେ) କାଗଜ ପଟିଦେବ–ଏଥିରେ ଡଙ୍କିରୋଗ ଆରୋଗ୍ୟ ହୁଏ ।

 

 

ଗୋଡ଼ଫଟା–

ବରକ୍ଷୀର ଗୋଡ଼ଫଟାରେ ଲଗାଇ ନିଆଁକୁ ଦେଖାଇଲେ ଗୋଡ଼ଫଟା ଭଲହୁଏ ।

 

 

ଚକ୍ଷୁରୋଗ–

ବରକ୍ଷୀରରେ କର୍ପୂର ମିଶାଇ ଅଞ୍ଜନ ନେଲେ ଚକ୍ଷୁରଫୁଲା ବିନଷ୍ଟ ହୁଏ ।

Image

 

ଅଶ୍ୱତ୍ଥ

 

ତାଳୁକା-ଅଶ୍ୱତ୍ଥ ପତ୍ର–

କ୍ୱାଥରେ କୁଳୁକୁଞ୍ଚାକଲେ ତାଳୁକା ରୋଗ ଆରୋଗ୍ୟ ହୁଏ ।

 

 

ବାନ୍ତି–

ଅଶ୍ୱତ୍ଥପତ୍ର-ରସରେ ମିଶ୍ରି ମିଶାଇ ସେବନ କଲେ (ଦେହ ଉକୁଚେଇବା), ବାନ୍ତି ବା ବାନ୍ତିର ବେଗ ଉପଶମ ହୁଏ ।

 

 

ଅର୍ଶ–

ଅଶ୍ୱତ୍ଥପତ୍ରକୁ ବାଟି ଅର୍ଶ ଲିଙ୍ଗରେ ବୋଳି ଦେଇ ରଖିଲେ ଅର୍ଶର ଲିଙ୍ଗ ଶୁଖିଯାଏ ।

 

 

ଅଧାକପାଳି–

ଅଶ୍ୱତ୍ଥପତ୍ରରେ ଜଡ଼ା ତେଲ ଲଗାଇ ସେକି ମୁଣ୍ଡରେ ବାନ୍ଧିଲେ ଅଧାକପାଳି ଉପଶମ ହୁଏ ।

 

 

ବଥ–

କଅଁଳ ଅଶ୍ୱତ୍ଥ ପତ୍ରରେ ଛେପ ଲଗାଇ ପିଠିବାଗେ ବଥ ଉପରେ ଲଗାଇ ରଖିଲେ ବଥ ପାଚିଯାଏ ।

 

 

ଗୋଡ଼ଫଟା–

ଅଶ୍ୱତ୍ଥ (ଓସ୍ତ) କ୍ଷୀର ଗୋଡ଼ଫଟାରେ ଲଗାଇ ନିଆଁରେ ଦେଖାଇଲେ ଗୋଡ଼ଫଟା ଆରୋଗ୍ୟ ହୁଏ ।

 

 

ଜ୍ୱର–

ଓସ୍ତ ଦାନ୍ତକାଠି ଆଣି ଦିନ ମଧ୍ୟରେ ସାତଥର ଘଷି ତ୍ରିଛକ ରାସ୍ତା ଉପରେ ପକାଇ ଦେବ । ଏଥିରେ ଏକୁଆ ଜ୍ୱର ଭଲ ହୁଏ ।

 

 

ରକ୍ତାତିସାର–

ଅଶ୍ୱତ୍ଥ ମଲାଙ୍ଗରେ ତିନିଗୋଟି ଗୋଲ ମରିଚ ମିଶାଇ ସେବନ କଲେ ରକ୍ତାତିସାର ଆରୋଗ୍ୟ ହୁଏ ।

Image

 

ଅର୍କ (ଅର୍ଖ)

 

ଶର୍ଦ୍ଦି–

ପାଚିଲା ଅରଖପତ୍ରରେ ଲହୁଣି ଲଗାଇ ସେକି ତାଳୁରେ ବାନ୍ଧିଲେ ଶର୍ଦ୍ଦି ଛାଡ଼ିଯାଏ ।

 

 

 

ନିଉମୋନିଆଁ–

ଅରଖପତ୍ରର ଉପର ପାଖରେ ଘିଅ (ଅଭାବରେ ସୋରିଷତେଲ) ଘଷିଦେଇ–ପ୍ରଥମେ ଲୁଣ ପୋଟଳାରେ ସେକି ଏହି ପତ୍ରକୁ ଉଷୁମ କରି ଛାତିରେ ପକାଇବ ।

 

 

 

 

ଏଥିରେ ନିଉମୋନିଆଁ-ପାର୍ଶ୍ୱ ବେଦନାର ଅତ୍ୟନ୍ତ ସୁଫଳ ହୁଏ–ଏହା ପରୀକ୍ଷିତ ।

 

 

 

କର୍ଣ୍ଣରୋଗ–

ପାଚିଲା ଅରଖପତ୍ରରେ ଘିଅ ବୋଳି ନିଆଁରେ ସେକି ତାକୁ ଚିପୁଡ଼ିଲେ ଯେଉଁ ରସ ବାହାରିବ ତାହା ଉଷୁମ ଥାଉଁ କାନରେ ପକାଇଲେ କାନଟଣା ଭଲହୁଏ-

 

 

 

 

ହଳଦିଆ କଣା ବା ଛିଦ୍ର ନଥିବା ଅରଖପତ୍ରରେ ଗୁଆଘିଅ ମାଲିସ କରି ହିଙ୍ଗୁ ଲଗାଇ ନିଆଁରେ ଗରମ କରି ତାକୁ ଚିପୁଡ଼ି ସେ ରସ କାନରେ ପକାଇଲେ କାନରୁ କୀଟ ମରିଯାନ୍ତି ଓ ପ୍ରାସ ଚାଲି ଯାଏ ।

 

 

 

ଚର୍ମରୋଗ–

(କ)

ଅରଖପତ୍ର ରସ ଏକ ଛଟାଙ୍କି, ସୋରିଷତେଲ ଅଧପାଏ, ବଟାହଳଦି ଏକ ଭରି-ସମସ୍ତ ଏକତ୍ର ରାନ୍ଧିବ, ପାଣି ଅଂଶ ମରିଗଲେ ତେଲକୁ ଛାଣି ଲଗାଇଲେ କୁଣ୍ଡିଆ, କାଛୁ ଚାଲିଯାଏ ।

 

 

 

 

(ଖ)

ଚମଦଳା ହୋଇଥିଲେ ସୋରିଷତେଲ ପ୍ରଥମରେ ଲଗାଇ ତାହା ଉପରେ ଅରଖ କ୍ଷୀର ଲଗାଇବ-ଏଥିରେ ଚମଦଳା ଚାଲିଯାଏ ।

 

 

 

ଗୋଦର–

ଶ୍ୱେତ ଅରଖ ମୂଳକୁ କାଞ୍ଜିରେ ବାଟି ପ୍ରଲେପ ଦେଲେ ଗୋଦର ଉପଶମ ହୁଏ ।

 

 

 

ମଳକଣ୍ଟକ–

ଅରଖପତ୍ର ଘିଅରେ ଖରଡ଼ି ମଳକଣ୍ଟକ ଜାଗାରେ ବାନ୍ଧିଲେ ବିଶେଷ ଉପକାର ହୁଏ ।

 

 

 

ବିରାଡ଼ି କାମୁଡ଼ା–

ଶ୍ୱେତ ଅରଖମୂଳ ଓ ତିନ୍ତୁଳିପତ୍ର ବାଟି ଲେପ ଦେଲେ ବିରାଡ଼ି କାମୁଡ଼ା ଆରୋଗ୍ୟ ହୁଏ ।

 

 

 

ସର୍ପବିଷ–

(କ)

ଅରଖମୂଳବାଟି ଖୁଆଇଲେ ସର୍ପ ବିଷ ନଷ୍ଟହୁଏ ।

 

 

 

 

(ଖ)

ଶ୍ୱେତ ଅରଖ ଗଛର ପତ୍ରକୁ ଛିଣ୍ଡାଇ ଆଣିବା ମାତ୍ରକେ ଦଳି ତାହାର ରସ ଦୁଇ ତିନି ଟୋପା ନାକରେ ପକାଇବ । ଏହିପରି କଲେ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ବାରମ୍ବାର ଛିଙ୍କ ହେବ । ଛିଙ୍କ ବେଶୀ ହେଲେ ବିଷ ନାଶହେଲା ବୋଲି ଜାଣିବ ।

 

 

 

(ସ୍ତ୍ରୀ) ପ୍ରସବରେ–

(କ)

ଶ୍ୱେତଅରଖମୂଳକୁ ସୂର୍ଯ୍ୟଗ୍ରହଣକାଳରେ କିମ୍ବା ଶନିବାର ଚନ୍ଦ୍ରଗ୍ରହଣ ସମୟରେ ଉପାଡ଼ି ନେଇ ଘରେ ରଖିବ । ସ୍ତ୍ରୀମାନଙ୍କର ପ୍ରସବରେ କଷ୍ଟ ହେଲେ କିମ୍ବା ପେଟରେ ମଲା ପିଲା ଥିଲେ-ପ୍ରସବ ହୋଇ ପାରୁ ନଥିଲେ, ଏହି ଅରଖମୂଳକୁ ସିଧା ଧରି ଜଳରେ ଧୋଇ ଖୁଆଇଲେ ଶୀଘ୍ର ପ୍ରସବ ହୋଇପଡ଼ିବ ।

 

 

 

 

(ଖ)

ଓଲଟା ଧରି ଖୁଆଇଲେ ସର୍ପବିଷ ଛାଡ଼େ–ଏହା ପ୍ରତ୍ୟକ୍ଷ ପ୍ରମାଣ ।

Image

 

ଦୁଦୁରା

 

କମ୍ପଜ୍ୱର–

କେଶଦୁଦୁରାପତ୍ରରସ କାନରେ ପକାଇଲେ କମ୍ପଜ୍ୱର ଛାଡ଼ିଯାଏ ।

 

 

 

ଶ୍ୱାସ–

(କ)

ଦୁଦୁରାପତ୍ର ଓ ଡାଳଶୁଖାଇ, ଚୁରି ଚିଲମରେ ଧୂଆଁ ଟାଣିଲେ ଶ୍ୱାସରୋଗ ଆରୋଗ୍ୟ ହୁଏ ।

 

 

 

 

(ଖ)

ଧଳା ଦୁଦୁରାଫୁଲ ଖରାରେ ଶୁଖାଇ ଚୁନା କରି ଚିଲମରେ ଧୂଆଁ ଖାଇଲେ ଶ୍ୱାସ ଉପଶମ ହୁଏ ।

 

 

 

ବାତରୋଗ–

କଳା ଦୁଦୁରାପତ୍ରରେ ସୋରିଷ ତେଲ ମାଲିସ କରି ସେ ପତ୍ରକୁ ସେକି, ସହିବା ଭଳି ଗରମ ଥାଉଁ ଥାଉଁ ବାନ୍ଧିଲେ ବାତରୋଗ ଆରୋଗ୍ୟ ହୁଏ ।

 

 

 

ଫୁଲା ଓ ଦରଜ–

(କ)

କଳାଦୁଦୁରା-ପତ୍ର ବାଟି ଗରମ କରି ବାନ୍ଧିଲେ ବାତରୋଗର ଦରଜ ଓ ଫୁଲା କମିଯାଏ ।

 

 

 

 

(ଖ)

ଦୁଦୁରାପତ୍ର ରସରେ ଏକଅଣା ଓଜନ ଅଫିମ ଗୋଳାଇ ଲେପ କରି କାନମୂଳ ଫୁଲିଥିଲେ, ଦାନ୍ତତଳ ଫୁଲିଥିଲେ କିମ୍ବା ଥଣ୍ଡା ଲାଗି ଗାଲ ଓ ଗଳା ଫୁଲିଥିଲେ ଏହି ପ୍ରଲେପ ଲଗାଇଲେ ଫୁଲା, ଦରଜ ସବୁ ଶୀଘ୍ର ଉପଶମ ହୁଏ ।

 

 

 

ବ୍ରଣଶୋଥ–

ଦୁଦୁରାମୂଳ ବାଟି ସୈନ୍ଧବଲୁଣ ପରୀକ୍ଷା ଦେଇ ଉଷ୍ମକରି ପ୍ରଲେପ ଦେଲେ ବ୍ରଣଶୋଥର ପ୍ରଥମ ଅବସ୍ଥାରେ ବିଶେଷ ଉପକାର ହୁଏ ।

 

 

 

ବଥ–

କଳାଦୁଦୁରାପତ୍ର ଘିଅରେ ସେକି ବଥ ଉପରେ ପକାଇଲେ ବଥ ପାଚି ଫାଟିଯାଏ ।

 

 

 

ଗୋଦର–

ଦୁଦୁରାପତ୍ର ରସରେ ସୁସମ୍ବର ଗରମ କରି ପ୍ରଲେପ ଦେଲେ ଗୋଦର ଆରୋଗ୍ୟ ହୁଏ । ଦୁଦୁରାମୂଳ, ଶ୍ୱେତସୋରିଷ, ସଜନାଛେଲି, ଜଡ଼ାମୂଳ ଓ ପୁରୁଣୀମୂଳ ଏକତ୍ରରେ ବାଟି ଉଷୁମକରି ଗୋଦର ଆରମ୍ଭ ଅବସ୍ଥାରେ ଲେପ ଦେଲେ ଫୁଲା ଓ ଦରଜ କମାଇଦିଏ ।

 

 

 

ଏକଶୀରା–

ଦୁଦୁରାପତ୍ର ଓ ପୋସ୍ତକ (ଅଫିମ) ଫଳକୁ କାଞ୍ଜିବା ତୋରାଣୀରେ ବାଟି ଗରମ କରି ପ୍ରଲେପ ଦେଲେ ଏକଶୀରା ଆରୋଗ୍ୟ ହୁଏ ।

 

 

 

କର୍ଣ୍ଣରୋଗ–

କେଶଦୁଦୁରା-ରସକୁ ଉଷୁମ କରି କାନରେ ପକାଇଲେ କାନଗଇ ଭଲ ହୁଏ-।

 

 

 

କୃମି–

ଦୁଦୁରାପତ୍ର ରସ ୨/୪ ଟୋପା ଦହି ସହିତ ଖାଇଲେ କୃମି ନଷ୍ଟ ହୁଏ ।

 

 

 

ଉକୁଣୀ–

ଦୁଦୁରାପତ୍ର ରସ, ପାନରସ ଏକତ୍ର କରି ଟିକିଏ କର୍ପୂର ମିଶାଇ ମୁଣ୍ଡରେ ଲେପ ଦେଲେ ଉକୁଣୀ ମରିଯାନ୍ତି ।

 

 

 

ସ୍ତନରୋଗ–

ଦୁଦୁରାପତ୍ର ରସରେ ହଳଦୀ ଓ ଚୂନ ମିଶାଇ ସ୍ତନରେ ପ୍ରଲେପ ଦେଲେ ସ୍ତନରେ ବେଦନା ଆରୋଗ୍ୟ ହୁଏ ।

 

 

 

ବାତଯୋଗୁ ବେଦନା–

ଦୁଦୁରା ରସରେ କିଛି ସୈନ୍ଧବ ଲୁଣ (ଅଭାବେ ଲୁଣ) ପକାଇ ବେଦନା ଜାଗାରେ ଲେପ ଦେଲେ (ବାତଯୋଗୁ) ବେଦନା ଆରୋଗ୍ୟ ହୁଏ ।

Image

 

ବାସଙ୍ଗ

 

ଜ୍ୱର–

ଦୁଇତୋଳା ବାସଙ୍ଗ ପତ୍ର ନେଇ ଛେଚି ଜଳରେ ଭିଜାଇ ଦୁଇଘଣ୍ଟା ପରେ ସେବନ କଲେ ପ୍ରବଳ ଜ୍ୱରରେ ତୃଷା ହେଉଥିଲେ ଶାନ୍ତ ହୁଏ ।

 

 

ଶର୍ଦ୍ଦି ଓ କାଶ–

ଆଠ ବା ଦଶଟି ବାସଙ୍ଗ ପତ୍ରରେ ମିଶ୍ରି ଓ ମରିଚ ସିଝାଇ ପାନ କଲେ ଶର୍ଦ୍ଦି ଓ କାଶ ଆରୋଗ୍ୟ ହୁଏ ।

 

 

କାଶ–

ବାସଙ୍ଗ ଗଛର ଚେରକୁ ଘିଅରେ ସିଝାଇ ଖାଇଲେ କାଶ, ଶ୍ୱାସ ଆରୋଗ୍ୟ ହୁଏ ।

 

 

ଧଇଁ–

ବାସଙ୍ଗଫୁଲ ଘିଅରେ ଭାଜି ଖାଇଲେ ଧଇଁରୋଗ ଆରୋଗ୍ୟ ହୁଏ ।

 

 

ଯକ୍ଷ୍ମା–

ବାସଙ୍ଗମୂଳ-ଛେଲି ଗାଈ-ଦୁଧରେ ବାଟି ଛାତିରେ ବୋଳି ତା’ ଉପରେ ପାନ ପକାଇ ଓ ତା’ ଉପରେ କନା ବାନ୍ଧି ରଖିଲେ ଯକ୍ଷ୍ମାରୋଗରେ ଛାତିର ବେଦନା ଆରୋଗ୍ୟ ହୁଏ ।

 

 

ଚର୍ମରୋଗ–

(କ)

କଅଁଳ ବାସଙ୍ଗପତ୍ର ଗୋରୁମୂତରେ ବାଟି ଲେପ ଦେଲେ କୁଣ୍ଡିଆ ଆରୋଗ୍ୟ ହୁଏ ।

 

 

 

(ଖ)

କଅଁଳ ବାସଙ୍ଗପତ୍ର ଓ ହଳଦି ଏକତ୍ର ଗୋରୁମୂତରେ ବାଟି ବାରମ୍ବାର ପ୍ରଲେପ ଦେଲେ କାଛୁ, କୁଣ୍ଡିଆ ଆରୋଗ୍ୟ ହୁଏ ।

 

 

ବଥ–

ବାସଙ୍ଗପତ୍ରକୁ ଘିଅରେ ସେକି ବଥ ଉପରେ ରଖିଲେ ବଥ ପାଚିଯାଏ ।

 

 

ଚକ୍ଷୁରୋଗ–

(କ)

ବାସଙ୍ଗ ମୂଳ କାଞ୍ଜି ପାଣିରେ ବାଟି ଲେପ ଦେଲେ ଆଖିଖୁଞ୍ଚା ଭଲ ହୁଏ ।

 

 

 

(ଖ)

ବାସଙ୍ଗ ପତ୍ରରେ ଜଡ଼ାତେଲ ଲଗାଇ ସେକି ଆଖିପତାରେ ଲଗାଇଲେ ଆଖିଫୁଲା ଓ ଆଖିର ପୀଡ଼ା ଆରୋଗ୍ୟ ହୁଏ ।

 

 

ଅମ୍ଳପିତ୍ତ–

ବାସଙ୍ଗପତ୍ର ଓ ଫୁଲର ରସ ଏକତୋଳାରେ କିଞ୍ଚିତ୍‌ ଚିନି ଓ ମହୁ ମିଶାଇ ସେବନ କଲେ ଅମ୍ଳପିତ୍ତ କାଶ ଓ ଜ୍ୱର ଆରୋଗ୍ୟ ହୁଏ ।

 

 

ରକ୍ତପିତ୍ତ–

(କ)

ବାସଙ୍ଗର କ୍ୱାଥ ମହୁ ସହିତ ସେବନକଲେ ରକ୍ତପିତ୍ତ, କ୍ଷୟକାଶ ଆରୋଗ୍ୟ ହୁଏ ।

 

 

 

(ଖ)

ବାସଙ୍ଗପତ୍ର ରସ ନାସ ନେଲେ ନାକରୁ ରକ୍ତ ପଡ଼ିବା ଭଲ ହୁଏ ।

 

 

ବହୁମୂତ୍ର–

ବାସଙ୍ଗପତ୍ର ରସରେ ଯବକ୍ଷାର ଏକଅଣା ଓଜନ ମିଶାଇ ପାନକଲେ ବହୁମୂତ୍ର ଆରୋଗ୍ୟ ହୁଏ ।

 

 

ସର୍ପବିଷ–

ବାସଙ୍ଗଚେର ବାଟି ଲେପଦେଲେ ସର୍ପବିଷ ନଷ୍ଟ ହୁଏ ।

 

 

ପ୍ରସବ–

ବାସଙ୍ଗମୂଳ ଅଣ୍ଟାରେ ବାନ୍ଧି ରଖିଲେ ଗର୍ଭିଣୀର ସୁଖ ପ୍ରସବ ହୁଏ ।

Image

 

ସିଝୁ

 

କଣନଖା–

କଣନଖା ସ୍ଥାନକୁ ଟିକିଏ କାଟି ସେଥିରେ ଖଡ଼ିସିଝୁ କ୍ଷୀର ଟିକିଏ ଲଗାଇ ଟିକିଏ ଲୁଣ ମଡ଼ାଇ ଦେଲେ କଣନଖା ଭଲ ହୁଏ ।

 

 

ଆମଶ୍ଲେଷ୍ମା–

ଖଡ଼ିସିଝୁ କ୍ଷୀର ଓ ଲୁଣ ଲଗାଇଲେ ଆମଶ୍ଲେଷ୍ମା ଆରୋଗ୍ୟ ହୁଏ ।

 

 

ବିସ୍ଫୋଟକ–

ପତ୍ରିଆସିଝୁର ପତ୍ରର ରସରେ ଗୋଲମରିଚ ବାଟି ବିସ୍ଫୋଟକର ପ୍ରଥମାବସ୍ଥାରେ ପ୍ରଲେପ ଦେଲେ ବିଶେଷ ଉପକାର ହୁଏ ।

 

 

ଜ୍ୱରରେ ଦାହ–

ପତ୍ରିଆ ସିଝୁପତ୍ର-ରସରେ ଜୁଆଣି ବାଟି ଦେହରେ ବୋଳିଦେଲେ ଜ୍ୱର-ଦାହ ଶୀଘ୍ର ନଷ୍ଟ ହୁଏ ।

 

 

ଧଇଁ–

ଖଡ଼ିସିଝୁଅଗି ଶୁଖାଇ ଲିଆ (ଖଇ) ସଙ୍ଗରେ ଖାଇଲେ ଧଇଁରୋଗ ଆରୋଗ୍ୟ ହୁଏ ।

 

 

ଚକ୍ଷୁରୋଗ–

ପତ୍ରସିଝୁର ପାଚିଲା ପତ୍ରରେ ତେଲ ଲଗାଇ ଦୀପଶିଖାକୁ ଦେଖାଇଲେ ତହିଁରେ ଯେଉଁକଳା ପଡ଼ିବ ସେହି କଳା ଚକ୍ଷୁ ପତାରେ ଲଗାଇଲେ ଆକ୍ଷିଧରିବା ଭଲ ହୁଏ ।

 

 

ଦନ୍ତରୋଗ–

ପତ୍ରିଆସିଝୁର ମୂଳ ଚୋବାଇ ଦାନ୍ତମୂଳରେ ତାହା ମାଡ଼ି ରଖିଲେ ଦାନ୍ତର ପୋକ ମରିଯାନ୍ତି । (ପୂର୍ବରୁ ମୁହଁ ଭିତରେ ଘିଅ ଲଗାଇ ଥିବ)

 

 

କର୍ଣ୍ଣରୋଗ–

ଖଡ଼ିସିଝୁ ପୋଡ଼ିଦେଇ ତାହାର ରସ ଗରମ କରି କାନରେ ପକାଇଲେ କାନଟଣା ଭଲହୁଏ ।

 

 

ସର୍ପଦଂଶନ–

ସାପ କାମୁଡ଼ିଲେ ପତ୍ରିଆ ସିଝୁପତ୍ରରସ ଦୁଇ ଛଟାଙ୍କି ପିଆଇ ଦେବ ଓ କାମୁଡ଼ା ଜାଗାକୁ ଟିକିଏ ଚିରି ସେହି କ୍ଷୀରକୁ ନେଇ କ୍ଷତ ସ୍ଥାନରେ ମାଲିସ୍‌ କଲେ ଲୋକ ରକ୍ଷାପାଏ–ଏହା ପ୍ରତ୍ୟକ୍ଷ ଫଳପ୍ରଦ ବୋଲି ଜାଣିବ ।

 

 

କୁକୁର କାମୁଡ଼ା–

ପତ୍ରିଆ ସିଝୁର କ୍ଷୀରରେ କନ୍ଦଚୂନା ମିଶାଇ କ୍ଷତସ୍ଥାନରେ ଘଷିଲେ କୁକୁର କାମୁଡ଼ା ବିଷ ନଷ୍ଟ ହୁଏ ।

 

 

ଶୁଷାର୍ଶ–

ପତ୍ରିଆସିଝୁକ୍ଷୀରରେ ଛେଳିମୂତ ମିଶାଇ ଖଣ୍ଡିଏ ତାଗ ସୂତାରେ ଭିଜାଇ ରଖି ଖରାରେ ଶୁଖାଇ ସେହି ସୂତାକୁ ଶୁସ୍କାର୍ଷରେ ବାନ୍ଧିଲେ ଅର୍ଶ ଛିଣ୍ଡି ଆରୋଗ୍ୟ ହୁଏ । ଏହା ଶୁଷ୍କାର୍ଶରେ ଉତ୍କୃଷ୍ଟ ଔଷଧ ।

Image

 

ଗର୍ଭିଣୀର

 

ଗୋଡ଼ହାତ ଫୁଲା–

ପତ୍ରିଆ ସିଝୁରସକୁ ଗରମ କରି ମାଲସ କଲେ ଗର୍ଭିଣୀର ଗୋଡ଼ହାତ ଫୁଲା ଆରୋଗ୍ୟ ହୁଏ ।

 

 

ଗର୍ଭିଣୀର ପ୍ରସବ–

ଗର୍ଭିଣୀର ମସ୍ତକରେ ଟିକିଏ ସିଝୁକ୍ଷୀର (ଅଠା) ଲଗାଇଦେଲେ ଗର୍ଭସ୍ଥ ମୃତସନ୍ତାନ ଶୀଘ୍ର ପ୍ରସବ ହୁଏ ।

Image

 

ବିଛୁଆତି

 

ଯକ୍ଷ୍ମା–

ବିଛୁଆତି ମୂଳ ଜଳରେ ବାଟି ଗାଈଦୁଧ ଏକଛଟାଙ୍କି ମିଶାଇ ତିନି ସପ୍ତାହ ସେବନ କଲେ ଯକ୍ଷ୍ମା ଆରୋଗ୍ୟ ହୁଏ ।

 

 

କାଶ ଓ ଶ୍ୱାସ–

ବିଛୁଆତିପତ୍ର ଦଶଟି ଘିଅରେ ଭାଜି ଖାଇଲେ କାଶ, ଶ୍ୱାସ ଓ ଆମବାତ ଆରୋଗ୍ୟ ହୁଏ ।

 

 

ଜ୍ୱର–

ବିଛୁଆତିର ମୂଳ କାନରେ କିମ୍ବା ବାହୁରେ ବାନ୍ଧିଲେ ରାତ୍ରିଜ୍ୱର ଭଲ ହୁଏ ।

 

 

କମ୍ପଜ୍ୱର–

ବିଛୁଆତି ଗଛକୁ ଜରୁଆ ଲୋକର ନାମଧରି ଶନିବାରେ ଗୁଆଦେଇ ନିମନ୍ତ୍ରଣ କରି ରବିବାର ଦିନ ଉପାଡ଼ି ଦେଲେ କମ୍ପଜ୍ୱର ଛାଡ଼ିଯାଏ ।

Image

 

ବେଗୁନିଆ

 

ଆମଶ୍ଳେଷ୍ମା–

ବେଗୁନିଆପତ୍ରରେ ଲୁଣ ମିଶାଇ କଳରେ ଯାକିଲେ ଆମଶ୍ଳେଷ୍ମା ଆରୋଗ୍ୟ ହୁଏ ।

 

 

ଆମବାତ–

ବେଗୁନିଆ ପତ୍ର ଏକତୋଳା, ରସୁଣ ଏକତୋଳା, ଏକତ୍ର ଅଧସେର ଜଳରେ ସିଝାଇ ଅଧପା ଥାଉ ଓହ୍ଲାଇ ସେବନ କଲେ ଅସାଧ୍ୟ ଆମବାତ ଆରୋଗ୍ୟ ହୁଏ ।

 

 

ଫୁଲା ଓ ଦରଜ–

ବାତ ବା ଯେ କୌଣସି କାରଣରୁ ଶରୀରର ଯେ କୌଣସି ସ୍ଥାନ ଫୁଲିଲେ ବା ଦରଜ ହେଲେ ବେଗୁନିଆ ପତ୍ର ବାଟି ପ୍ରଲେପ ଦେଲେ ନିଶ୍ଚୟ ଉପଶମ ହେବ ।

 

 

ରକ୍ତପିତ୍ତ–

ବେଗୁନିଆପତ୍ର ଘିଅରେ ଭାଜି ଖାଇଲେ ରକ୍ତପିତ୍ତ ବା ରକ୍ତପଡ଼ିବା ଆରୋଗ୍ୟ ହୁଏ ।

 

 

ଯକ୍ଷ୍ମା–

ବେଗୁନିଆ ପତ୍ର ଓ ମୂଳକୁ ଛେଚି, ରସ ବାହାର କରି ତାହାକୁ ଗୁଆଘିଅରେ ପାକକରି ସେହି ଘୃତ ସେବନ କଲେ ଯକ୍ଷ୍ମାରୋଗୀର ବିଶେଷ ଉପକାର ହୁଏ-

 

 

କର୍ଣ୍ଣରୋଗ–

ବେଗୁନିଆ ଗଛର ପୁରୁଣା ଡାଙ୍ଗ ଖଣ୍ଡେ ଆଣି ଚୂର୍ଣ୍ଣକରି (କପଡ଼ା ଛାଣ କରି) କାନରେ ପକାଇଲେ କାନଗଇ ଆରୋଗ୍ୟ ହୁଏ ।

 

 

ସର୍ପବିଷ–

ବିଷଧର ସର୍ପ କାମୁଡ଼ିଲେ ବେଗୁନିଆ-ମୂଳ-ଛେଲିକୁ ଜଳରେ ବାଟି ପିଆଇଦେଲେ ସାପକାମୁଡ଼ିଥିବା ରୋଗୀ ଆରୋଗ୍ୟ ହୁଏ ।

Image

 

ସଜନା

 

ଅନ୍ତର୍ବିଦ୍ରଧି–

ସଜନା ମୂଳର ରସ ଅଧ ତୋଳାରେ କିଛି ଚିନି ଓ ମହୁ ମିଶାଇ ସେବନ କଲେ ଅନ୍ତର୍ବିଦ୍ରଧି ଆରୋଗ୍ୟ ହୁଏ ।

 

 

 

ବାହ୍ୟବିଦ୍ରଧି–

ସଜନାମୂଳ-ଛେଲି ବାଟି ଗରମ କରି ପ୍ରଲେପ ଦେଲେ ବାହ୍ୟ ବିଦ୍ରଧି ବସିଯାଏ ।

 

 

 

ଗୋଦର–

ସଜନାମୂଳ-ଛେଲି ଓ ଧଳାସୋରିଷ ଏକତ୍ର ଗୋରୁମୂତରେ ବାଟି ଗରମ କରି ପ୍ରଲେପ ଦେଲେ ଗୋଦର ଆରୋଗ୍ୟ ହୁଏ ।

 

 

 

ଅପକ୍ୱ ବ୍ରଣ–

ସଜନାଗଛ ମୂଳର ଛେଲି ବାଟି, ଗରମ କରି ବ୍ରଣ ଉପରେ ପ୍ରଲେପ ଦେଲେ ଅପକ୍ୱ ବ୍ରଣ ବସିଯାଏ ବା ମିଳେଇଯାଏ ।

 

 

 

ଫୁଲା ଓ ଦରଜ–

ସଜନା ଅଠାରେ କିଛି ହିଙ୍ଗୁ ମିଶାଇ ଚିକ୍କଣକରି ବାଟି ଗରମ କରି କନାରେ ବୋଳି ଫୁଲା, ବେଦନା, (ପରାସ, ଦରଜ) ଜାଗାରେ ଏହାର ପଟି ବସାଇ ରଖିଲେ ଫୁଲା କମିଯାଇ ବେଦନାର ଉପଶମ ହୁଏ ।

 

 

 

ଚକ୍ଷୁରୋଗ–

(କ)

ସଜନାପତ୍ର ରସରେ ମହୁ ମିଶାଇ ଛୋଟ ଖଲରେ ଖଲି ଚକ୍ଷୁପତାରେ ଲଗାଇଲେ ଆଖି ଧରିବା ଆରୋଗ୍ୟ ହୁଏ ।

 

 

 

 

(ଖ)

ସଜନାପତ୍ର ରସକୁ ତାମ୍ର (ତମ୍ବା) ପାତ୍ରରେ ଭଲକରି ଘଷି ସେଥିରେ ଘିଅ ମିଶାଇ ଅଳ୍ପ ଉଷ୍ମକରି ଚକ୍ଷୁରେ ପ୍ରଲେପ ଦେଲେ ଚକ୍ଷୁର ଶୋଥ, ଫୁଲା, କଣ୍ଡୁ, ଲୁହଗଡ଼ିବା ଓ ବେଦନା ନିବାରିତ ହୁଏ-

 

 

 

ବାତରକ୍ତ–

ନାଲି ସଜନାର ମଞ୍ଜିକୁ ଖଟା ତୋରାଣୀରେ ବାଟି ଦେହରେ ବୋଳି ହୋଇ ଏବଂ ତତ୍‌କ୍ଷଣାତ୍‌ ତୋରାଣୀରେ ଗାଧୋଇ ପଡ଼ିଲେ ବାତରକ୍ତରେ ଦାହ (ପୋଡ଼ା ଜ୍ୱାଳା) ଦୂର ହୁଏ ।

Image

 

ଗଇଶ

 

ଧଇଁ–

ଗଇଶ ଅଗି, ଲିଆ (ଖଇ) ସଙ୍ଗରେ ଖାଇଲେ ଧଇଁରୋଗ ଆରୋଗ୍ୟ ହୁଏ-

 

 

ଆମାଶୟ–

ତିନିଗୋଟି ଗଇଶପତ୍ରରେ ତିନିଗୋଟି ଗୋଲମରିଚ ମିଶାଇ ବାଟି ସେବନ କଲେ ଆମାଶୟ ଉପଶମ ହୁଏ ।

 

 

କାମଳ–

ଗଇଶପତ୍ରରସ ଆଖିରେ ପକାଇଲେ କାମଳରୋଗୀର ଉପକାର ହୁଏ ।

 

 

ମୂତ୍ରରୋଧ–

ମୂତ୍ର ଦ୍ୱାରରେ ଗୋଡ଼ି ଅଟକିଲା ପରି ବୋଧହେଲେ ପ୍ରସ୍ରାବ ନ ହେଲେ କିମ୍ବା କଷ୍ଟରେ ଟୋପାଏ ଟୋପାଏ ହେଲେ ଗଇଶ ଗଛର ଡାଳ ଓ ମୂଳକୁ ବାସି ପାଣିରେ ବାଟି ପିଇଲେ ପ୍ରସ୍ରାବ ଖୋଲିଯାଏ ।

 

 

ଏକୁଆ ଜ୍ୱର–

ପାଳିଦିନ ରୋଗୀ ମୁହଁ ନ ଧୋଇ ଅଫୁଲା (ଫୁଲ ଧରି ନଥିବା) ଗଇଶ ଗଛର ଚେର ଆଣି ଟିକିଏ ନାଲି ସୂତାରେ ଗୁଡ଼ାଇ ଡାହାଣ ହାତ ବାହୁରେ ବାନ୍ଧି ରଖିବ-। ପ୍ରାତଃକାଳରୁ ଜ୍ୱର ଆସିବା ସମୟ ପର୍ଯ୍ୟନ୍ତ ପୋକସୁଙ୍ଘାର ପତ୍ର କନାରେ ପୋଟଳି ବାନ୍ଧି ତାକୁ ମଳି ସୁଙ୍ଘୁଥିବ । ଜ୍ୱର ହେବାର ନିର୍ଦ୍ଦିଷ୍ଟ ସମୟ ଗତ ହେଲେ ଉକ୍ତ ପୋଟଳିକୁ (ପୁଡ଼ିଆ) ଫୋପାଡ଼ି ଦେବ ।

 

 

ସର୍ପବିଷ–

ଗଇଶ ପତ୍ରରସ ଅଧପାଏ ସାପକାମୁଡ଼ା ରୋଗୀକୁ ଖୁଆଇଲେ କିମ୍ବା ରୋଗୀ ଅଚେତନ ହୋଇଥିଲେ ତାହାର ନାକ, କାନବାଟେ ସେହି ରସକୁ ପୂରାଇ ଦେବ-। ଏଥିରେ ସର୍ପବିଷ ନଷ୍ଟହୁଏ । ଗୋରୁଠାରେ ମଧ୍ୟ ଏହା ପରୀକ୍ଷିତ । ମାତ୍ରା, ଅଧିକ ପରିମାଣରେ ।

Image

 

ଅଙ୍କରାନ୍ତି

 

ବସନ୍ତ–

(କ)

ଅଙ୍କରାନ୍ତିପତ୍ରରସ ଏକତୋଳାରେ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କଲେ ବସନ୍ତରୋଗର ଆକ୍ରମଣରୁ ରକ୍ଷା ମିଳେ ।

 

 

 

 

(ଖ)

ଅଙ୍କରାନ୍ତିଗଛର ମୂଳ ସୁକିଏ ଓଜନରେ ଗୋଲମରିଚ ସୁକିଏ ଓଜନ ମିଶାଇ ବାଟି ଖାଇଲେ ବସନ୍ତରୁ ଉଦ୍ଧାର ମିଳେ । (ବର୍ଷେକାଳ ପର୍ଯ୍ୟନ୍ତ ବସନ୍ତ ରୋଗ ହୁଏ ନାହିଁ)

 

 

 

ମୂତ୍ରକୃଚ୍ଛ୍ର–

ଅଙ୍କରାନ୍ତିରସ ଏକତୋଳାରେ ମହୁ ମିଶାଇ ସେବନ କଲେ ମୂତ୍ରକୃଚ୍ଛ୍ର ଆରୋଗ୍ୟ ହୁଏ ।

 

 

 

କାଶ ଓ ଶ୍ୱାସ–

(କ)

ଅଙ୍କରାନ୍ତି ଓ ପିପ୍ପଳୀ ଚୂର୍ଣ୍ଣ ସମଭାଗରେ ମହୁ ସହିତ ଚାଟି ଖାଇଲେ ଦାରୁଣ କାଶ ଓ ଶ୍ୱାସ ଆରୋଗ୍ୟ ହୁଏ ।

 

 

 

 

(ଖ)

ଅଙ୍କରାନ୍ତିର କ୍ୱାଥରେ ପିପ୍ପଳୀଚୂର୍ଣ୍ଣ ମିଶାଇ ସେବନ କଲେ ସକଳ ପ୍ରକାର କାଶ ଆରୋଗ୍ୟ ହୁଏ ।

 

 

 

ଫୁଲା ଓ ଦରଜ–

ଅଙ୍କରାନ୍ତିର ରସ ବାହାର କରି ଫୁଲା ଓ ଦରଜ ଜାଗାରେ ବୋଳିଲେ ତାହା ଉପଶମ ହୁଏ ।

Image

 

ଫୁଲ

 

ରକ୍ତପ୍ରଦର–

ଚମ୍ପାକଢ଼ ଏକଗୋଟା ପତ୍ର ୨୪ଟା ଗୋଲମରିଚ ୭ଟା ଏକତ୍ର ବାଟି କନ୍ଦପଣାରେ ସେବନ କଲେ ରକ୍ତପ୍ରଦର ଆରୋଗ୍ୟ ହୁଏ ।

 

 

ଚକ୍ଷୁରୋଗ–

ବଡ଼ିସକାଳୁ ଗାଧୋଇ ସାରି କାଠଚମ୍ପା ଫୁଲ ୭ଗୋଟି ପ୍ରତିଦିନ ସୁଙ୍ଘିଲେ ନାନାଦି ଚକ୍ଷୁରୋଗ ଉପଶମ ହୁଏ ।

 

 

ବାଗୀ–

ଭୂଇଁ ଚମ୍ପା କଢ଼ ପାଣିରେ ବାଟି ପ୍ରଲେପ ଦେଲେ ବାଗୀ ଉପଶମ ହୁଏ ।

 

 

ଗୁଳ୍ମରୋଗ–

କେତକୀଫୁଲ ଭୁଣ୍ଡିକୁ ପୋଡ଼ି ଭସ୍ମକରି ସେଥିରୁ ଅଢ଼େଇ ମସା ଓ ଖସା ତେଲ ଅଢ଼େଇ ମସା ଏକତ୍ର ମିଶାଇ ସେବନ କଲେ ପନ୍ଦର ଦିନ ମଧ୍ୟରେ ଗୁଳ୍ମରୋଗ ନିଶ୍ଚୟ ଆରୋଗ୍ୟ ହୁଏ ।

 

 

ଅଢ଼ାଙ୍ଗୁଳି–

ଶ୍ରୀମଲ୍ଲୀକା ମୂଳକୁ ଟାଙ୍ଗଣାରେ ବାଟି ପ୍ରଲେପ ଦେଲେ ଅଢ଼ାଙ୍ଗୁଳି ଭଲହୁଏ ।

 

 

ଗଳଗଣ୍ଡ ଓ ଗଣ୍ଡମାଳା–

ସୂର୍ଯ୍ୟମୁଖୀ ଗଛ ଓ ରସୁଣକୁ ବାଟି ପ୍ରଲେପ ଦେଲେ ଗଳଗଣ୍ଡ ଓ ଗଣ୍ଡମାଳା ଉପଶମ ହୁଏ ।

 

 

ଘା–

ଧାତୁକୀ ଫୁଲ ବାଟି ଉଷ୍ମ କରି ଘାଆରେ ଦେଲେ ଝର ବନ୍ଦହୁଏ ।

 

 

ପେଟର ପ୍ରାସ–

ମୁଚୁକୁନ୍ଦ ଫୁଲ ଓ ମରିଚ ଉଷ୍ମ ଜଳରେ ବାଟି ପିଆଇଲେ ପେଟର ପ୍ରାସ ଭଲହୁଏ ।

 

 

ଅନ୍ତକୋଷ–

ରକ୍ତମନ୍ଦାର ମୂଳକୁ ଦୁଧରେ ବାଟି ପିଆଇଲେ ଅନ୍ତକୋଷ ଭଲହୁଏ ।

 

 

ଅର୍ଶ–

ମାଣିକଚାନ୍ଦି କୁସୁମଫୁଲରୁ ତାହାର କଳା ଅଂଶ ବାହାର କରି ଦେଇ ସେଥିରେ ୨୪ଟି ମରିଚ ମିଶାଇ ବାଟି ପିଇଲେ ଅର୍ଶରେ ରକ୍ତ ପଡ଼ିବା ବନ୍ଦ ହୁଏ । ବେଶୀଦିନ ହେଲେ ବେଶୀଦିନ ବ୍ୟବହାର କରିବ ।

 

 

ଜ୍ୱର–

ନାଗେଶ୍ୱର ଗଛର ଚେର ଆଣି ସାତଖଣ୍ଡ କରି ଅଦାରସ ସଙ୍ଗରେ ଖାଇଲେ ପ୍ରବଳ ଜ୍ୱର ଛାଡ଼ିଯାଏ ।

 

 

ବନ୍ଧ୍ୟାଦୋଷ–

ତଟକା ନାଗେଶ୍ୱର ଫୁଲ ଚୂର୍ଣ୍ଣକରି ସୁକିଏ ଓଜନ ଗୁଆଘିଅରେ ମିଶାଇ ସେବନ କଲେ ସ୍ତ୍ରୀମାନଙ୍କର ବନ୍ଧ୍ୟାଦୋଷ ଦୂର ହୁଏ ।

 

 

ଚକ୍ଷୁରୋଗ–

ନାଗେଶ୍ୱର ପତ୍ର ବାଟି ପାଣିରେ ଗୋଳି ସେଥିରେ ଆଖି ଧୋଇଲେ କୁସୁମ (ଆଖିରେ ଧଳାଚିହ୍ନ) ବିନଷ୍ଟ ହୁଏ ।

Image